Latest Odisha News

BREAKING NEWS

ମେକ୍ ଇନ୍ ଓଡିଶା କନକ୍ଲେଭ: ଚୀନ୍ ପ୍ରତିନିଧିଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ‘ମେକ୍ ଇନ୍ ଓଡିଶା କନକ୍ଲେଭ’ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୀନର ଫୁଜିଆନ୍ ପ୍ରଦେଶର ବ୍ୟବସାୟିକ ପ୍ରତିନିଧି ଦଳକୁ ଆମନ୍ତ୍ରଣ କରିଛନ୍ତି ।

ସିପିସି ଫୁଜିଆନ୍ ପ୍ରୋଭିନ୍ସ କମିଟିର ମୁଖ୍ୟ ହୁ ଚାଙ୍ଗସେଙ୍ଗଙ୍କ ନେତୃତ୍ୱରେ ଏକ ଛଅଜଣିଆ ପ୍ରତିନିଧିଦଳକୁ ରାଜ୍ୟ ସଚିବାଳୟଠାରେ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସହିତ ସିପିସି କମ୍ପାନୀ ସହିତ ଏକ ବ୍ୟାବସାୟିକ ସମ୍ପର୍କ ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ଏହି ପ୍ରତିନିଧିଦଳକୁ ସ୍ୱାଗତ କରିବା ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ଖଣିଜ ସମ୍ପଦରେ ଓଡିଶା ସାରା ଭାରତର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ଅନ୍ୟତମ । ଏହି ରାଜ୍ୟର ପ୍ରାକୃତିକ ଉତ୍ସ ବିଭିନ୍ନ କମ୍ପାନୀମାନଙ୍କୁ ପୁଞ୍ଜିନିବେଶ କରିବାକୁ ଆକୃଷ୍ଟ କରିପାରିଛି ।

ମୁଖ୍ୟମନ୍ତ୍ରୀ ରାଜ୍ୟର ବ୍ୟାବସାୟିକ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରି କହିଛନ୍ତି ରାଜ୍ୟରେ ଦକ୍ଷ ଓ କୁଶଳୀ ଶ୍ରମିକ ଏବଂ ବ୍ୟବସାୟ ନିମନ୍ତେ ସୁଦୃଢ ଭିତ୍ତିଭୂମି ରହିଛି । ଏହାଛଡା ସେ ମଧ୍ୟ କହିଛନ୍ତି ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରୋନିକ୍ ମାନିଫାକ୍ଚୁରିଂ, ପେଟ୍ରୋ-କେମିକାଲ, ବୟନଶିଳ୍ପ ଏବଂ ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ଅଗ୍ରଗତି କରିପାରିଛି ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରାଜ୍ୟ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ଶିଳ୍ପ ବିଭାଗର ମୁଖ୍ୟ ସଚିବ ଏବଂ କମିଶନର ଉପସ୍ଥିତ ରହିଥିଲେ । ଏହି ବୈଠକରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଶିଳ୍ପମନ୍ତ୍ରୀ କହିଛନ୍ତି ଅଗଷ୍ଟ ୩୧ ତାରିଖରେ ଏକ ୭ ଜଣିଆ ପ୍ରତିନିଧିଦଳ ଚୀନର ଫୁଜଉ ସହର ଗସ୍ତ କରିବେ । ମେକ୍ ଇନ୍ ଓଡିଶା କନକ୍ଲେଭ ଓ ରାଜ୍ୟରେ  ବିଭିନ୍ନ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି  ଏହି ପ୍ରତିନିଧି ଦଳଙ୍କର ମୁଖ୍ୟ ଲକ୍ଷ୍ୟ ହେବ ।

Leave A Reply

Your email address will not be published.