Latest Odisha News

BREAKING NEWS

ସାଇବର ଠକେଇର ଶିକାର ହେଲେ ଶ୍ରୀକୃଷ୍ଣଙ୍କ ଦ୍ଵିତୀୟ ରାଧା

ପ୍ରୟାଗରାଜ: ସାଇବର ଠକେଇର ଶିକାର ହେଲେ ଉତ୍ତରପ୍ରଦେଶର ପୂର୍ବତନ ଆଇଜି ତଥା ନିଜକୁ ‘ଦ୍ୱିତୀୟ ରାଧା’ କହୁଥିବା ଅବସର ପ୍ରାପ୍ତ ଆଇପିଏସ ଡି.କେ ପଣ୍ଡା । କୃଷ୍ଣଙ୍କ ଦ୍ଵିତୀୟ ରାଧା ଭାବରେ ଚର୍ଚ୍ଚାରେ ଥିବା ଦେବେନ୍ଦ୍ର କିଶୋର ପଣ୍ଡାଙ୍କ ଠାରୁ ୩୮୧ କୋଟି ଟଙ୍କା ଥକି ନେଇଗଲେ ସାଇବର ଠକ l ଠକେଇ ପରେ ଡି.କେ ପଣ୍ଡା ପ୍ରୟାଗରାଜରେ ଏଫ୍ଆଇଆର୍ ଦାଖଲ କରିଛନ୍ତି।

ପଣ୍ଡାଙ୍କ କହିବା ଅନୁସାରେ, ସେ ଲଣ୍ଡନ ସ୍ଥିତ ‘ଫିମନିକ୍ସ ଗ୍ରୁପ୍’ ନାମକ ଏକ କମ୍ପାନୀ ସହିତ ଅନଲାଇନ୍ ବ୍ୟବସାୟ କରି ପାଖାପାଖି ୩୮୧ କୋଟି ଟଙ୍କା ରୋଜଗାର କରିଥିଲେ । ଗତ ଅକ୍ଟୋବର ୨୫ ରେ, ଆରବ ଶର୍ମା ନାମକ ଜଣେ ବ୍ୟକ୍ତି ସାଇପ୍ରସରୁ ହ୍ୱାଟ୍ସଆପ୍ କଲ କରିଥିଲେ। ସେ ଡି.କେ ପଣ୍ଡାଙ୍କୁ ଅପଶବ୍ଦ କହିବା ସହ ଧମକ ମଧ୍ୟ ଦେଇଥିଲେ l ପଣ୍ଡାଙ୍କ କହିବା ଅନୁସାରେ, ସେ କେବେବି ଆରବ ଶର୍ମା ନାମକ କୌଣସି ବ୍ୟକ୍ତିଙ୍କୁ ଭେଟିନାହାଁନ୍ତି। ଲଣ୍ଡନର କମ୍ପାନୀ ‘ଫିମନିକ୍ସ’ର ଅର୍ଥ ବିଭାଗରେ କାର୍ଯ୍ୟ କରୁଥିବା ରାହୁଲ ଗୁପ୍ତାଙ୍କ ମାଧ୍ୟମରେ ଆରବ ଶର୍ମାଙ୍କ ସହ ଯୋଗାଯୋଗ କରିଥିଲେ। ପଣ୍ଡା ଅଭିଯୋଗ କରିଛନ୍ତି ଯେ ମୁଁ ଉକ୍ତ କମ୍ପାନୀରୁ ଅର୍ଜିତ ଟଙ୍କାକୁ ପ୍ରୟାଗରାଜରେ ଥିବା ମୋର ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କଲି, କିନ୍ତୁ ତାହା ହେଲାନାହିଁ l ସେପଟେ କମ୍ପାନୀର ଲୋକମାନେ ମୋତେ ବିଭିନ୍ନ ପ୍ରକାରର ଦେୟ ଦେବାକୁ ଦାବି କଲେ। ଏହି ସମୟ ମଧ୍ୟରେ ଆରବ ଶର୍ମା ଏହି ଘଟଣାରେ ଜଡିତ ହୋଇଥିଲେ।

ପଣ୍ଡା ଅଭିଯୋଗ କରିଛନ୍ତି ଯେ ଆରବ ଶର୍ମା ନିଜେ ସେହି ୩୮୧ କୋଟି ଟଙ୍କା ଠକି ନେଇଛନ୍ତି ଏବଂ ପୁଣି ତାଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଛନ୍ତି l କିନ୍ତୁ ଟଙ୍କା ଦେବାକୁ ମନା କରିବାରୁ ଆରବ ଧମକ ଦେଇଛନ୍ତି l ତେବେ ଏହି ଠକେଇରେ ଆତଙ୍କବାଦୀ ଲିଙ୍କ ଦର୍ଶାଇ ପୂର୍ବତନ ଆଇପିଏସ୍‌ ଅଧିକାରୀ ପଣ୍ଡା ସିବିଆଇ କିମ୍ବା ଏନଆଇଏ ତଦନ୍ତ ଦାବି କରିଛନ୍ତି। ପଣ୍ଡା ଆଣିଥିବା ଅଭିଯୋଗକୁ ଭିତ୍ତି କରି ବିଏନଏସର ଧାରା ୩୫୧ (୪) (ଅପରାଧିକ ଭୟଭୀତତା) ଏବଂ ୩୧୮ (୪) (ପ୍ରତାରଣା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

କହିରଖୁଛୁ ଯେ ୟୁପି ପୋଲିସର ପୂର୍ବତନ ଆଇଜି ଡି.କେ ପଣ୍ଡା ଯଥା ଦେବେନ୍ଦ୍ର କିଶୋର ପଣ୍ଡା ମୂଳତଃ ଓଡିଶାର ବାସିନ୍ଦା। ୧୯୭୧ ବ୍ୟାଚ୍ ଏହି ଆଇପିଏସ୍ ଅଧିକାରୀ ୨୦୦୫ ମସିହାରେ କୃଷ୍ଣଙ୍କର ଦ୍ୱିତୀୟ ରାଧା ଭାବରେ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ସେ ନିଜକୁ ଜଣେ ମହିଳା ବୋଲି ମଧ୍ୟ କହିଥିଲେ। ତାଙ୍କର ଏହି ରୂପକୁ ନେଇ ୟୁପି ପୋଲିସ ବିଭାଗରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା। ଆଇପିଏସ୍ ଡି.କେ ପଣ୍ଡା ୧୯୯୧ରେ ନିଜକୁ ରାଧା ବୋଲି କହିଥିଲେ। ଦିନେ ଭଗବାନ କୃଷ୍ଣ ସ୍ୱପ୍ନରେ ତାଙ୍କୁ ଦେଖା ଦେଇ କହିଥିଲେ ଯେ ସେ ତାଙ୍କର ରାଧା, ତାଙ୍କର ପ୍ରେମିକା। ୧୯୯୧ ରୁ ୨୦୦୫ ପର୍ଯ୍ୟନ୍ତ ଡି.କେ ପଣ୍ଡା ନିଜର ଏହି ବେଶକୁ ଗୋପନ ରଖିଥିଲେ। କିନ୍ତୁ ୨୦୦୫ ମସିହାରେ, ସେ ନିଜର ଏହି ରୂପକୁ ସାର୍ବଜନୀନ କରିଦେଇଥିଲେ। ଅବସର ଗ୍ରହଣର ଦୁଇ ବର୍ଷ ପୂର୍ବରୁ ସେ ୨୦୦୫ ରେ ନିଜ ପଦରୁ ଇସ୍ତଫା ଦେଇଥିଲେ। କୁହାଯାଉଛି ଯେ ବର୍ତ୍ତମାନ ପଣ୍ଡା ବାବା କୃଷ୍ଣାନନ୍ଦଙ୍କ ନାମରେ ପ୍ରୟାଗରେ ରହୁଛନ୍ତି।

Leave A Reply

Your email address will not be published.