Latest Odisha News

BREAKING NEWS

ଫୁଲୱାମା ଆକ୍ରମଣ: ୪୪ ଜଣ ସୈନିକଙ୍କ ସହ ଦେଶଲାଗି ପ୍ରାଣବଳୀ ଦେଲେ ଓଡ଼ିଆ ଯବାନ ପ୍ରସନ୍ନ ସାହୁ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରର ଫୁଲୱାମାଠାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆକ୍ରମଣରେ ଯେଉଁ ୪୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ବୀର ଯବାନ ପ୍ରସନ୍ନ କୁମାର ସାହୁ । ଏହି ଖବର ମିଳିବା ମାତ୍ରେ ସହିଦ ସିଆରପିଏଫ ଯବାନ ପ୍ରସନ୍ନଙ୍କ ଗ୍ରାମ ଜଗତସିଂହପୁର ଜିଲ୍ଲାରେ ଥିବା ନିଜ ଗ୍ରାମ ଶିଖରରେ ଶୋକର ଛାୟା ଖେଳିଯାଇଛି ।

ଦେଶର ସୁରକ୍ଷା ଲାଗି ଜମ୍ମୁ ଓ କାଶ୍ମୀରରେ ଏହି ଓଡ଼ିଆ ଯବାନ ହେଡ଼ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ । ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀଙ୍କ ପକ୍ଷରୁ ଘଟିଥିବା ଏହି ବର୍ବରୋଚିତ ଆତ୍ମଘାତୀ ଆକ୍ରମଣରେ ସହିଦ ହେବାର ଦୁଃଖଦ ଖବର ଶୁଣି ପ୍ରସନ୍ନଙ୍କ ମାଆ ଓ ପତ୍ନୀଙ୍କ କାନ୍ଦରେ ଫାଟି ପଡୁଛି ଶିଖର ଗାଁର ମାଟି । ଗ୍ରାମବାସୀମାନେ ଏହି ଦୁଃଖଦ ଖବର ଶୁଣିବା ପରେ ନିଜର କୋହ ସମ୍ବରଣ କରିପାରୁନାହାନ୍ତି ।

ଆତଙ୍କବାଦୀଙ୍କ ଏହି ଘୃଣ୍ୟ ଆକ୍ରମଣରେ ପ୍ରାୟ ୪୪ ଜଣ ଭାରତୀୟ ଯବାନଙ୍କ ପ୍ରାଣହାନୀ ଘଟିଥିବା ବେଳେ ୧୨ ଜଣରୁ ଅଧିକ ଯବାନ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଜମ୍ମୁ ରାଜପଥରେ ଏକ ବିସ୍ଫୋରକ ବୋଝେଇ ଗାଡ଼ି ଦ୍ୱାରା ଜଣେ ଆତ୍ମଘାତୀ ଆତଙ୍କବାଦୀ ସିଆରପିଏଫ ବସ ସହିତ ଧକ୍କା ଦେବା ସହିତ ଗୁଳି ଚାଳନା କରିଥିଲା ।

ଏହି ଆକ୍ରମଣ ଘଟଣାରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ନିଜକୁ ଦାୟୀ କରିଛି । ଏହି ବେଆଇନ ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ କରିଥିବା ଆତ୍ମଘାତୀ ଆତଙ୍କବାଦୀର ଏକ ଭିଡ଼ିଓ କ୍ଲିପ୍ ପ୍ରଚାର ମଧ୍ୟ କରିଛି ।

ଜମ୍ମୁ ଓ କାଶ୍ମୀରର ଶ୍ରୀନଗର-ଜମ୍ମୁ ରାଜପଥରେ ୭୦ଟି ବସରେ ସିଆରପିଏଫ ସୁରକ୍ଷାକର୍ମୀ ଯାଉଥିବା ବେଳେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ଆଦିଲ୍ ଅହମ୍ମଦ ଏକ ବିସ୍ଫୋରକ ଭରା ଗାଡ଼ିରେ ଆସି ଗୋଟିଏ ବସରେ ଧକ୍କା ଦେଇଥିଲା । ଆତଙ୍କବାଦୀମାନଙ୍କ ବିସ୍ଫୋରକ ଭରା ଗାଡ଼ି ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଧକ୍କା ଦେବା ଫଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଅଧିକାଂଶ ଯବାନଙ୍କ ପ୍ରାଣହାନୀ ଘଟିଥିବାର ସୂଚନା ହସ୍ତଗତ ହୋଇଛି ।

ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ସୁରକ୍ଷା ଲାଗି ପ୍ରାଣବଳୀ ଦେଇଥିବା ଯବାନମାନଙ୍କ ଉତ୍ସର୍ଗ କେବେ ବି ନିଃଷ୍ଫଳ ଯିବନାହିଁ ।

ଘଟଣାସ୍ଥଳରେ ଖଣ୍ଡ ବିଖଣ୍ଡିତ ମୃତ ଶରୀର ପଡ଼ିରହିଥିଲା । ବିଭିନ୍ନ ସେନା ଗାଡ଼ିରେ ପ୍ରାୟ ୨,୫୦୦ ଯବାନ ବିଭିନ୍ନ ସ୍ଥାନରେ ମୂତୟନ ହେବାକୁ ଯାଉଥିଲେ ।

 

ଗୃହମନ୍ତ୍ରୀ ରାଜନାଥ ସିଂହ ତାଙ୍କର ପାଟନା ଗସ୍ତ ବାତିଲ୍ କରି ଶୁକ୍ରବାର ଦିନ ଫୁଲୱାମାର ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି ।

ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସହିଦ ଯବାନମାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହିତ ଏହା ବର୍ବରୋଚିତ ଏବଂ କାପୁରୁଷୋଚିତ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି ।

Leave A Reply

Your email address will not be published.