Latest Odisha News

BREAKING NEWS

ସିକିମ୍ ବନ୍ୟାରେ ଭାସିଗଲେ ଓଡ଼ିଆ ଯବାନ ସରୋଜ

କାମାକ୍ଷାନଗର: ସିକିମ୍‌ରେ ବାଦଲଫଟା ବର୍ଷାରୁ ପ୍ରଳୟଙ୍କାରୀ ବନ୍ୟା । ଏହିି ବନ୍ୟାରେ ୨୩ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯୁବକ । ସେ ହେଲେ ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମ ଚନ୍ଦ୍ର ଦାସଙ୍କ ସାନପୁଅ ହାବିଲଦାର ସରୋଜ କୁମାର ଦାସ ।

ସେ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ । ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ପରିବାର ଲୋକଙ୍କ ସହ ମୋବାଇଲ୍‌ରେ କଥା ହୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ । ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ନ ଥିଲା । ସେ ନିଖୋଜ ଥିବା ଖବର ଟିଭିରୁ ଦେଖି ପରିବାର ପକ୍ଷରୁ ତାଙ୍କ ମୋବାଇଲ୍‌କୁ କଲ୍ କରାଯାଇଥିଲେ ବି ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ପରେ ତାଙ୍କ ୟୁନିଟ୍ ସହ କଥା ହୋଇ ସରୋଜ ସତରେ ନିଖୋଜ ଥିବା ଜାଣିବାକୁ ପାଇଥିବା ବଡ଼ଭାଇ ମନୋଜ ଦାସ କହିଛନ୍ତି ।

ପୁଅ ସୁରକ୍ଷିତ ଭାବେ ଫେରିବାକୁ ବାପା ରାମଚନ୍ଦ୍ରଙ୍କ ସହିତ ପୂରା ପରିବାର ପ୍ରାର୍ଥନା କରିଛନ୍ତି । ତାଙ୍କ ବଡ଼ ଭାଇ ମନୋଜ କହିଛନ୍ତି, ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ । ସରୋଜ ସବୁଠାରୁ ସାନ ଥିଲେ । ମାତ୍ର ୭ ମାସ ତଳେ ଗତ ଫେବ୍ରୁୟାରି ୧୧ ତାରିଖରେ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ । ସିପାହୀରୁ ପଦୋନ୍ନତି ପାଇ ହାବିଲଦାର ହେବା ପରେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସିଥିଲେ । ସେପ୍ଟେ୍ଟମ୍ବର ୬ ତାରିଖରେ ସିକିମ୍‌କୁ ଡ୍ୟୁଟି ପାଇଁ ଯାଇଥିଲେ । ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ । ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ । ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନ ଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିବା ସେ ଜଣାଇଥିଲେ ବୋଲି ଭାଇ ମନୋଜ କହିଛନ୍ତି ।

ତେବେ ବୁଧବାର ସକାଳ ସାଢ଼େ ୧୧ଟାରେ ତାଙ୍କ ୟୁନିଟ୍ ପକ୍ଷରୁ ସରୋଜ ନିଖୋଜ ଥିବା ମନୋଜଙ୍କୁ ଫୋନ୍ କରି ଖବର ଦିଆଯାଇଥିଲା । କିନ୍ତୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ଓ ଧୈର୍ଯ୍ୟ ଧରିବାକୁ ୟୁନିଟ୍ ପକ୍ଷରୁ ବାରମ୍ବାର କୁହାଯାଉଥିବା ମନୋଜ କହିଛନ୍ତି । କିନ୍ତୁ ସେ ବନ୍ୟାରେ ନିଖୋଜ ଖବର ମିଳିବା ପରଠାରୁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ।

 

Leave A Reply

Your email address will not be published.