Latest Odisha News

BREAKING NEWS

ଦଲାଲକୁ ଦେବଦୂତ ଭାବି ଭିଟାମାଟି ଛାଡିଥିଲେ, ଏବେ ପ୍ରବାସରେ ବନ୍ଧାପଡିଛି ଜୀବନ

ନୂଆପଡା:ସହି ହେଉ ନ ଥିଲା ଭୋକର ଯନ୍ତ୍ରଣା । ପେଟ ମାଗୁଥିଲା ମୁଠାଏ ଆହାର । ଯୁଆଡେ ଚାହିଁଲେ ଦିଶୁଥିଲା ଆପଣାର ମଣିଷର ଶୁଖିଲା ମୁହଁ । ସେ ଶୁଖିଲା ମୁହଁର ନିରୀହ ପ୍ରଶ୍ନ ଥିଲା ଏ ଭୋକ..ଏ ଭେଖ କେବେ ବଦଳିବ ? ହେଲେ ଘରର ବେକାର ମୁରବି ମଣିଷଟି ବି କ’ଣ କରି ପାରିବ ? ଭଗବାନ ତ ତାଙ୍କୁ ନିଃସ୍ୱ କରି ଜନ୍ମ ଦେଇଛନ୍ତି । ଅର୍ଥ ନାହିଁ କି କାମ ନାହିଁ । ତେଣୁ ଦଲାଲଙ୍କୁ ଭାବିଲେ ଦେବଦୂତ  ।  ଦଲାଲ ଯେତେବେଳେ କାମ ଦେଇଥିଲେ ଆଗ ପଛ ବିଚାର ନ କରି ଭଟାମାଟି ଛାଡି ଚାଲିଗଲେ । ଏବେ ପେଟର ଯନ୍ତ୍ରଣାଠାରୁ ଅସହ୍ୟ ହେଉଛି ପରିଶ୍ରମ। ଆଉ ସହି ହେଉନି ସେ ନିର୍ଯାତନା । ଫେରି ଆସିବାକୁ ମନ  । ହେଲେ ସେଠି ବନ୍ଧା ପଡିଛି ଜୀବନ  । ମୁକୁଳିବାର ବାଟ ନାହିଁ । ବିକଳ ହୋଇ କାକୁତି ମିନତି ହେଉଛନ୍ତି  । ହେଲେ କିଏ ଦେବ ତାଙ୍କୁ ମୁକ୍ତି ? ଏ ଦୁଃଖ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଏଁର ଗାଁର ।

୩ ମାସ ତଳେ ପଏଁର ଗାଁର ୨୧ ଜଣ ଦାଦନ ଶ୍ରମିକ କଣ୍ଟାବାଞ୍ଜିର ଶ୍ରମିକ ଦଲାଲ ଚନ୍ଦନ ତାଣ୍ଡିଙ୍କ କଥାରେ ପଡି କାମ କରିବା ପାଇଁ ତେଲେଙ୍ଗାନା  ଯାଇଥିଲେ । ସେଠାରେ ଥିବା ମେହେବୁବନଗର ଜିଲ୍ଲା କିସନନଗର ଗାଁର ଏକ ଇଟା ଭାଟିରେ ନିୟୋଜିତ ହୋଇଥିଲେ । ହେଲେ ଦୁଇ ମାସ କାମ କଲାପରେ ଇଟାଭାଟି ମାଲିକଙ୍କ ନିର୍ଯାତନା ସହିହେଲାନି । ମାନସିକ, ଶାରିରୀକ ନିର୍ଯ୍ୟାତନା ଅସହ୍ୟ ହେଲା ।

ଦାଦନ ଶ୍ରମିକଙ୍କ ପରିବାର ଲାେକ ଅଭିଯୋଗ କରିଛନ୍ତି,  ସେଠାରେ ସେମାନଙ୍କୁ ଦୈନିକ ୧୨ ରୁ ୧୫ ଘଣ୍ଟା କାମ କରିବାକୁ ପଡୁଛି । ପ୍ରତିଶ୍ରୁତି ଅନୁଯାୟୀ ମଜୁରୀ ବି ମିଳୁନି । ଏପରିକି ଖାଇବା ଖର୍ଚ୍ଚ ବାବଦ ପଇସା କାଟି ଦେଉଛନ୍ତି ମାଲିକ । ମନ ବୁତାବକ କାମ ନକଲେ ମାରପିଟ କରୁଥିଲେ।  କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ।

ଖବର ପାଇ ଗରିବ ସେନା ସଭାପତି ରବି ମଙ୍ଗରାଜ ଦାଦନ ଶ୍ରମିକଙ୍କ ସଂର୍କୀୟଙ୍କୁ ଧରି ନୂଆପଡା ଜିଲ୍ଲାପାଳଙ୍କ ଠାରେ ପହଞ୍ଚି ବନ୍ଧକ ୨୧ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉ କି, ନୂଆପଡା ଜିଲ୍ଲାରେ  ଦାଦନ ର ଦୁଃଖ ଥମିବାର ନାଁ ନେଉନି ।  ପ୍ରତି ବର୍ଷ ଜିଲ୍ଲାର ହଜାର ହଜାର ଶ୍ରମିକ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।  ଗତ ଦୁଇ ମାସ ମଧ୍ୟରେ ଦୁଇ ଦାଦନ ଶ୍ରମିକଙ୍କ ମୂର୍ତ୍ୟୁ ହୋଇଥିବା ବେଳେ ଅନେକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ।

Leave A Reply

Your email address will not be published.