କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଜଣେ ଓଡିଆ ଶ୍ରମିକ ମାଲେସିଆକୁ କାମ କରିବାକୁ ଯାଇ ନିଖୋଜ ହୋଇଛନ୍ତି ।
ନିଖୋଜ ଶ୍ରମିକ ଜଣଙ୍କ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାବୁରାମପାଟଣା ଗ୍ରାମର କ୍ଷେତ୍ରବାସୀ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ କ୍ଷେତ୍ରବାସୀ କୋଲକାତାର ଏକ ସସ୍ଥା ସହାୟତାରେ ସେପ୍ଟେମ୍ବର ମାସରେ ରୋଜଗାର ପାଇଁ ମାଲେସିଆ ଯାଇଥିଲେ । ସେହି ମାସ ୨୯ ତାରିଖରେ କେହି ଜଣେ ଅଜଣା ବ୍ୟକ୍ତି କ୍ଷେତ୍ରବାସୀଙ୍କ ମାଆ ବାପାଙ୍କୁ ଫୋନ କରି ତାଙ୍କ ପୁଅକୁ ଗିରଫ କରାଯାଇଥିବା ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କହିଥିଲେ । ତା’ ପରଠାରୁ କ୍ଷେତ୍ରବାସୀଙ୍କ ସମ୍ପର୍କରେ କୌଣସିଖବର ମିଳିନଥିବା ବେଳେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ଉଭୟ ମାଆ ବାପା ।
ଅନ୍ୟପକ୍ଷରେ କିଛି କାଗଜପତ୍ର ଦ୍ୱାରା ଜଣାପଡିଛି ଯେ ସେପ୍ଟେମ୍ବର ୨୯ ତାରିଖ ଯାଏଁ କ୍ଷେତ୍ରବାସୀଙ୍କୁ ମାଲେସିଆରେ ରହିବା ପାଇଁ ଅନୁମତି ମିଳିଥିଲା ।
“ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ ନଥିବାରୁ ନିଜ ପୁଅକୁ ଖୋଜିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ, ଏଥିସହିତ ଆମ ପୁଅକୁ ଖୋଜିବାରେ ସାହାର୍ଯ୍ୟ କରିବା ପାଇଁ ଆମେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ ବୋଲି ଅତ୍ୟନ୍ତ କୋହଭରା କଣ୍ଠରେ କହିଛନ୍ତି” କ୍ଷେତ୍ରବାସୀଙ୍କ ମାଆ ମିନତି ସାହୁ ।
ଆହୁରି ମଧ୍ୟ ଏହି ଘଟଣାର ତଦନ୍ତ ପାଇଁ କ୍ଷେତ୍ରବାସୀଙ୍କ ମାଆ ବାପା ଏନେଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରଣାଳୟକୁ ମଧ୍ୟ ଅନୁରୋଧ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ର କହିଛନ୍ତି ଯେ ଆମେ କ୍ଷେତ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରାଯାଉଛି ।