Latest Odisha News

BREAKING NEWS

ଖୋର୍ଦ୍ଧାରେ ଅଟକ ଥିବା ଯୁବକ ମାଓବାଦୀ ନୁହଁନ୍ତି: ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଅଟକ ଥିବା ଯୁବକ ଜଣକ ମାଓବାଦୀ ନୁହଁନ୍ତି ବୋଲି ଶୁକ୍ରବାର ଦିନ ପୋଲସ ସ୍ପଷ୍ଟ କରିଛନ୍ତି ।

ଜଣେ ମାଓବାଦୀ ବୋଲି ସନ୍ଦେହ କରାଯାଉଥିବା ଯୁବକ ଜଣକଙ୍କୁ ବେଗୁନିଆ ଥାନାରେ ଦୀର୍ଘ ସମୟଧରି ପଚରା ଉଚରା କରିବା ପରେ ଗଣମାଧ୍ୟମକୁ ସୂଚନାଦେଇ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ମାଓବାଦୀଙ୍କ ସହିତ ଯୁବକ ଜଣକଙ୍କର କୌଣସି ସମ୍ପର୍କ ନାହିଁ ।

“ପୋଲିସ ପକ୍ଷରୁ ଯାଞ୍ଚ ପରେ ଯୁବକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରାଯାଇଛି । ସେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ସୁରେଶ ପହଁରିଆ ବୋଲି ଚିହ୍ନିତ କରାଯାଇଛି । ସେ ଆନ୍ଧ୍ରପଦେଶର ଏକ ଇଟା କାରଖାନାରେ କାର୍ଯ୍ୟ କରୁଥିଲେ । ସେହି ଯୁବକ ଜଣକ ସେଠାକାର ଇଟା କାରଖାନା ମାଲିକଙ୍କ ନିକଟରୁ ଅଗ୍ରୀମ ସୂତ୍ରରେ କିଛି ଟଙ୍କା ଆଣିଥିଲେ ଠିକ୍ ସମୟରେ ପଇଠ ନକରି ଅନ୍ୟ ଜଣେ ଯୁବକଙ୍କ ସହିତ ଓଡ଼ିଶା ଫେରିଆସିଥିଲେ । ଏହି ୨ଜଣ ଯୁବକ ଗୋଜମୁଣ୍ଡିଆ ପାହାଡ଼ ନିକଟବର୍ତ୍ତୀ ଜଙ୍ଗଲରେ ଲୁଚି ରହିଥିଲେ,”ବୋଲି ଆଇଜି କହିଛନ୍ତି ।

ସେହି ଯୁବକ ଜଣକ ଆହୁରି ମଧ୍ୟ କହିଛନ୍ତି ତାଙ୍କ ସହିତ ଥିବା ଅନ୍ୟ ୨ଜଣ ଯୁବକ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନରେ ଭୟଭିତ ହୋଇ ଜଙ୍ଗଲ ଛାଡ଼ି ଚାଲିଯାଇଛନ୍ତି । “ସେହି ୨ଜଣ ଯୁବକଙ୍କୁ ମଧ୍ୟ ପୋଲିସ ପଚରାଉଚରା ନିମନ୍ତେ ଖୋଜୁଛି,” ବୋଲି ଆଇଜି କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ବେଗୁନିଆ ଦେଉଳି ଅଞ୍ଚଳରେ ଏହି ଯୁବକ ଜଣକ ୧୫ ଦିନ ଧରି ଏହି ଅଞ୍ଚଳରେ ବୁଲାବୁଲି କରିବା ସହିତ ଶୁଖିଲା ଖାଦ୍ୟ ପଦାର୍ଥ କିଣାକିଣି କରୁଥିଲେ । ତାଙ୍କର କଥାବାର୍ତ୍ତା ତଥା ଚାଲିଚଳନରୁ ସ୍ଥାନୀୟ ବାସିନ୍ଦା ମାଓବାଦୀ ବୋଲି ସନ୍ଦେହ କରି ପୋଲିସ ଜିମାରେ ଦେଇଥିଲେ ।

ବେଗୁନିଆ ପୋଲିସ ଯୁବକ ଜଣକଙ୍କୁ ଥାନାରେ ପଚରା ଉଚରା କରିଥିଲେ । ଖୋର୍ଦ୍ଧା ଏସପିଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମ୍ମୁଖରେ ଯୁବକ ଜଣକଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ଯୁବକଙ୍କ ବୟାନ ଅନୁସାରେ ଜିଲ୍ଲା ପୋଲିସ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ ମାଧ୍ୟମରେ ଗତକାଲି ରାତି ପ୍ରାୟ ୩ଟା ବେଳୁ ଗୋଜମୁଣ୍ଡିଆ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲ ମଧ୍ୟରେ କେବଳ ରୋଷେଇ କରିବା ଜିନିଷପତ୍ର ବ୍ୟତୀତ ସେପରି କିଛି ମାଓବାଦୀ ପୋଷ୍ଟର୍ କିମ୍ବା ଅସ୍ତ୍ରଶସ୍ତ୍ର ଏପରିକି କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା ।

Leave A Reply

Your email address will not be published.