ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି । ଯଦିଓ ପୂର୍ବରୁ ମଧ୍ୟ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା, ତେବେ ବର୍ତ୍ତମାନ ଏହାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ । କେବଳ ସେତିକି ନୁହେଁ, ଚଳିତ ମାସଠାରୁ ଖିଲାପକାରୀଙ୍କୁ ୭ ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର୍ୟ୍ୟାନୁଷ୍ଠାନ ସହିତ ଜୋରିମାନା ଓ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ ୫୦୦୦ ଟଙ୍କା ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।
ସୂଚନାଯୋଗ୍ୟ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ବୈଠକରେ ପରିବର୍ତ୍ତିତ ଅଧିନିୟମର କଡ଼ାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି । ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଯେପରି ଓଡ଼ିଆରେ ନାମଫଳକ ଲାଗିବ ସେନେଇ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରତି ମାସରେ ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ, ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ବୈଠକ କରି ଏହାର ସମୀକ୍ଷା କରିବା ସହିତ ବିବରଣୀ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗଙ୍କୁ ପ୍ରଦାନ କରିବା ଲାଗି ମଧ୍ୟ କୁହାଯାଇଥିବା ଜଣାପଡ଼ିିଛି ।
Comments are closed.