Latest Odisha News

BREAKING NEWS

ଓଡ଼ିଆ ନୂଆବର୍ଷ କେଉଁ ତାରିଖରେ ପଡ଼ିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ

ପୁରୀ: ୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି କେଉଁ ଦିନ ପାଳନ ହେବ ସେନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂଜାପଣ୍ଡା ନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଭ୍ୟ, ଦଇତାପତି ନିଯୋଗ, ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ପଞ୍ଜିକାରୁ ଆସିଥିବା ଗଣନାକାରୀ ମାନେ ଉପସ୍ଥିତ ଥିଲେ ।

ତେବେ ଆଗାମୀ ପଣା ସଂକ୍ରାନ୍ତି ଏପ୍ରିଲ୍ ୧୩ କିମ୍ବା ୧୪ ତାରିଖରେ କେଉଁ ଦିନ ପାଳନ ହେବ, ସେନେଇ ବୈଠକରେ ଦ୍ଵନ୍ଦ ଉପୁଜିଥିଲା । ସେପଟେ ଆସନ୍ତା ୧୨ ତାରିଖରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନିଆଯାଇ ଆଉ ଏକ ବୈଠକ କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ବୀକୃତ ରାଧାରମଣ ପ୍ରେସ୍ ପଞ୍ଜିକା ପକ୍ଷରୁ କୁହାଯାଇଛି ତାଙ୍କର ଗଣନା ଅନୁଯାୟୀ ଏପ୍ରିଲ ୧୪ ରେ ମହାବିଷୁବ ସଂକ୍ରାନ୍ତି ପାଳନ ହେବ ।‌ ତେବେ ପଞ୍ଜିକାର ଓ ଗଣନାକାରୀଙ୍କ ମତାମତ ନିଆଯାଇ ପଣା ସଂକ୍ରାନ୍ତି ପାଳନ ନେଇ ଲୋକଙ୍କୁ ସ୍ପଷ୍ଟ କରିଦିଆଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ଓ ଗଣନାକାରୀ । ଚଳିତ ବର୍ଷ ଅଧିବର୍ଷ ପଡ଼ୁଥିବାରୁ ଫେବ୍ରୁଆରୀ ମାସଟି ୨୯ ଦିନିଆ ରହିଛି । ଏଣୁ ଏଭଳି ଦ୍ବନ୍ଦ ସ୍ଥିତି ଉପୁଜିଥିବା ପଞ୍ଜିକାର କହିଛନ୍ତି ।

ସେପଟେ ଚଳିତବର୍ଷ ମହାପ୍ରଭୁଙ୍କ ଅଣବସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି। କ୍ଷୟ ତିଥି ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ମହାପ୍ରଭୁଙ୍କ ଅଣବସର ଓ ନେତ୍ରୋତ୍ସବ ନୀତି କିଭଳି ପାଳନ ହେବ ସେନେଇ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଥିଲା । ପୂର୍ବରୁ ୧୯୫୯ ଏବଂ ୧୯୭୧-୭୨ ମସିହାରେ ଏହିଭଳି ସ୍ଥିତି ଯୋଗୁ ମହାପ୍ରଭୁଙ୍କର କିଭଳି ଅଣବସର, ନେତ୍ରୋତ୍ସବ ଓ ରଥଯାତ୍ରା ନୀତି ପାଳନ ହୋଇଥିଲା ସେନେଇ ଶ୍ରୀମନ୍ଦିରର ପୂର୍ବ ପଞ୍ଜିକା ଏବଂ ରେକର୍ଡ଼କୁ ଅନୁଧ୍ୟାନ କରାଯାଇ ସବୁକିଛି ପାଳନ ହେବ ବୋଲି ସେବାୟତ କହିଛନ୍ତି ।

ସେହିପରି ଚଳିତ ବର୍ଷ ମହାକାର୍ତ୍ତିକ ମାସରେ ପଞ୍ଚୁକ ମଧ୍ୟ କ୍ଷୟ ତିଥି ଯୋଗୁ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଛି । ମହାପ୍ରଭୁଙ୍କ ପଞ୍ଚୁକର ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ତିଥି ଯୋଗୁ ଅନୁଷ୍ଠିତ ହେବ ନାହିଁ ବୋଲି କହିଛନ୍ତି ସେବାୟତ ।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତ ରାଧାରମଣ ପ୍ରେସ୍ ପଞ୍ଜିକାର ସୂଚନା ଅନୁସାରେ ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଓଡ଼ିଶା ପାଇଁ ନାହିଁ ।

Leave A Reply

Your email address will not be published.