ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୦ ବର୍ଷ ବୟସରେ ରମାକାନ୍ତ ରଥ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଭୋରୁ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ପରଲୋକ ଘଟିଛି ।୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ସେ ପରିଚିତ ଥିଲେ ।
ଏହାଛଡ଼ା ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ବିଷୁବ ପୁରସ୍କାର, ଶାରଳା ପୁରସ୍କାର, ପ୍ରଜାତନ୍ତ୍ର ପ୍ରଚାର ସମିତି ଝଙ୍କାର ପୁରସ୍କାର (କବିତା),ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କଳିଙ୍ଗ ରତ୍ନ ଓ ଉତ୍କଳ ରତ୍ନ ଆଦି ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।
୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ ରମାକାନ୍ତ ରଥ କଟକଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ଏହି ସମୟରେ ତାଙ୍କର କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇଛି ।