ଭୁବନେଶ୍ଵର:
ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା….
ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା…..
ହଁ ପଖାଳ କଂସା । ପ୍ରତ୍ୟକ ଓଡିଆର ଗର୍ବ ଓ ଗୌରବ । ଉଦୁଉଦିଆ ଖରାରେ ଘରକୁ ଫେରି ଚାଷୀ ଭାଇଟିଏ ଯାହା ପ୍ରଥମେ ଖୋଜେ ତା’ ହେଉଛି ପଖାଳ । କଂସେ ପଖାଳ ସାଙ୍ଗକୁ ଶାଗ ଭଜା, ଆଳୁ ଭର୍ତ୍ତା, ବଡି ଚୁରା, ମାଛ ଭଜା ଟିକେ ହେଇଗଲେ ଖୁସି କହିଲେ ନସରେ । କିନ୍ତୁ ସବୁବେଳେ ଯେ ଏସବୁ ମିଳିବ ତା’ର ତ କୌଣସି ନିଶ୍ଚିନ୍ତତା ନାହିଁ । ବାସି ପଖାଳ ସାଙ୍ଗକୁ ଦୁଇ କୋଲି ପିଆଜ, ଲଙ୍କା, ଲୁଣ ଟିକେ ବି ହେଇଗଲେ ଚାଷୀ ଭାଇଟେ ଗୋଟେ ବେଳର ଖାଦ୍ୟ ଶାନ୍ତିରେ ଖାଇଦିଏ । କହିବାକୁ ଗଲେ ଏ ତ ହେଉଛି ଆମ ଓଡିଶାର ପ୍ରତ୍ୟକ ଲୋକଙ୍କ ଖାଦ୍ୟ । ଆଉ ଏ ପଖାଳର ସ୍ଵାଦ ବି ଏମିତି ଖାଲି ଟିକେ ଲୁଣ, ଲେମ୍ବୁ, ଲଙ୍କା ଦଳିକି ବି ଶାନ୍ତିରେ ଖାଇ ହୋଇଯାଏ । ଆଉ ତା’ର ସ୍ଵାଦ ଆଃ କି ଶାନ୍ତି …. । ଯିଏ ଖାଇଛି ସେ ଜାଣିଛି ।
ବର୍ତ୍ତମାନର ଚକମକିଆ ସମାଜରେ ଧିରେ ଧିରେ ପଖାଳର ଚାହିଦା କମିଯାଉଥିବା ବେଳେ ଏହାର ସ୍ଵତନ୍ତ୍ରତା ବଢାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳନ କରାଯାଏ ପଖାଳ ଦିବସ । କହିବାକୁ ଗଲେ ତ ପଖାଳ ଓଡିଆ ମାନଙ୍କ ପ୍ରମୁଖ ଖାଦ୍ୟ । କିନ୍ତୁ ଆଜିକାଲିର ଜୀବନଶୈଳୀ ଲୋକମାନଙ୍କୁ ଦୁରେଇ ଦେଇଛି ଏହି ପଖାଳ କଂସା ପାଖରୁ । ତଥାପି ପଖାଳ ଦିବସ ଆସିଲେ ଲୋକମାନେ ସବୁ କିଛି ଛାଡି ଖୋଜି ବୁଲନ୍ତି ଏହି ପଖାଳ କଂସାକୁ । ଗାଁ ଠୁ ସହର, ରାସ୍ତାକଡ ହୋଟେଲ ଠୁ ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ଆଜିର ଦିନରେ ସବୁଠି ଥାଏ ଏହି ପଖାଳର ଚାହିଦା । ଓଡ଼ିଶାର ମଉଡ଼ମଣି କୁହାଯାଉଥିବା ସ୍ୱୟଂ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ଯାହା ତାଙ୍କ ଟଙ୍କ ତୋରାଣୀରୁ ଓ ଦହି ଅନ୍ନରୁ ପ୍ରମାଣିତ । ପ୍ରଭୁଙ୍କ ପାଇଁ ସେବକମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାଆନ୍ତି । ବଡ଼ସିଂହାର ସମୟରେ ପ୍ରଭୁଙ୍କ ପାଇଁ ପ୍ରତିଦିନ ଘୃତ ପଖାଳ ପ୍ରସ୍ତୁତ ହୁଏ । ଭଲ ଘିଅ ସାଙ୍ଗକୁ ଜିରା, ଅଦା, ଲୁଣ, ଦହି, ଶର୍କରା, ରାବିଡ଼ି, ପାପୁଡ଼ି, କସଖୁଆ, ଡାଳିମ୍ବ ଓ ପିସ୍ତାବାଦାମ ପଡ଼ି ଏହା ପ୍ରସ୍ତୁତ ହୁଏ । ବାସୁମତୀ ଚାଉଳରୁ ପ୍ରସ୍ତୁତ ଅବଢ଼ା ପାଣିରେ ପକାଇ ଛାଣିବା ପରେ ଏହାକୁ ପ୍ରସ୍ତୁତ କରାଯାଏ । ପଖାଳ ଓଳିରେ ଏହା ମହାପ୍ରଭୁଙ୍କୁ ପରସା ଯାଇଥାଏ । ଏହାକୁ ଖାଇବା ପରେ ମହାପ୍ରଭୁ ସୁଖନିଦ୍ରା ଯାଇଥାଆନ୍ତି ।
ପଖାଳ କେବଳ ପାଟି କି ପେଟକୁ ଶାନ୍ତ କରେ ତାହା ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢାଏ । ଯେତେବେଳେ କରୋନା କାଳରେ ପୂରା ବିଶ୍ବ ଘାଂଟି ହେଉଥିଲା । ସେହି ସମୟରେ ପଖାଳର ଉପକାରିତାକୁ ନେଇ ଆସିଥିଲା ଏକ ରିପୋର୍ଟ । ଯେଉଁଥିରେ କୁହାଯାଇଥିଲା କି, ପଖାଳରେ ଭରପୂର ରହିଛି ରୋଗ ପ୍ରତିରୋଧକ ଶକ୍ତି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପଖାଳରେ ଥିବା ଅଣୁଜୀ ଶ୍ୱେତସାରର ସରଳୀକରଣ ଦ୍ୱାରା ସର୍ଟ ଚେନ୍ ଫ୍ୟାଟି ଏସିଡ୍ ତିଆରି କରେ । ଯାହାକି ମଣିଷକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅନେକାଂଶରେ ସାହାଯ୍ୟ କରେ । ଏମ୍ସ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା କି, ଯେଉଁମାନେ ନିଇତି ପଖାଳ କିମ୍ବା ତୋରାଣି ପିଅନ୍ତି ସେମାନଙ୍କର ଇମ୍ୟୁନିଟି ପାୱାର ବଢେ । ବାସି ପଖାଳରେ ଥିବା ସର୍ଟ ଚେନ୍ ଫ୍ୟାଟି ଏସିଡ୍ର ପ୍ରଦାହରୋଧୀ ବା ଆଣ୍ଟି-ଇନ୍ଫ୍ଲେମାଟୋରୀ ଗୁଣ ରହିଛି । ତୋରାଣିରେ ଥିବା ଲୋବାସିଲସ୍ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍ ଓ ଅନ୍ତଃନଳୀ ସଂକ୍ରମଣକୁ ରୋକିଥାଏ । ଖାଲି ଏତିକି ନୁହେଁ ପଖାଳ ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍ ଉପକାରୀ ।