Latest Odisha News

BREAKING NEWS

ଭଦ୍ରକରେ ୫ଟି ସଚିବ ଭି କେ ପାଣ୍ଡିଆନ; ଡ଼ାକ୍ତରଖାନା ପରିଦର୍ଶନ କରି ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ

ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ତଥା ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ ମଙ୍ଗଳବାର ଦିନ ଅଚାନକ ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।

ଭଦ୍ରକସ୍ଥିତ ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସ ଏଣ୍ଡ ରିସର୍ଚ୍ଚ (ସିଆରଏସଆର) ସେଣ୍ଟର୍ ପରିଦର୍ଶନ କରିବା ସହିତ ସେଠାରେ ଥିବା ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ସଚିବ ଶ୍ରୀ ପାଣ୍ଡିଆନ ।

ଏହି ରିହାବିଲିଟେସନ ସେଣ୍ଟରରେ ପ୍ରାୟ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ ଶ୍ରୀ ପାଣ୍ଡିଆନ । ସେ ଏଠାରେ ଥିବା ଫିଜିଓଥେରାପି କ୍ଲିନିକ ପରିଦର୍ଶନ କରିବା ସହିତ ଆର୍ଟିଫିସିଆଲ୍ ଲିମ୍ବସ୍ କେନ୍ଦ୍ର ପରିଦର୍ଶନ କରିଥିଲେ ବୋଲି ସିଆରଏସଆର ସଚିବ ଡଃ ଭଗବାନ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି । ଏହି ସେଣ୍ଟରଟିର ଭିତ୍ତିଭୂମିର ଅଭିବୃଦ୍ଧି ନିମନ୍ତେ ପାଣ୍ଠ ଲାଗି ଏକ ପତ୍ର ଲେଖି ଜଣାଇବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି ।

ସରକାରଙ୍କ ‘ମୋ ସରକାର’ ପରି ଶାସନ ପଦ୍ଧତିକୁ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାରଙ୍କ ଏହି ମାନବିକତା ପୂର୍ଣ୍ଣ କାର୍ଯ୍ୟାଧାରାର ଏହା କେବଳ ଗୋଟିଏ ଉଦାହରଣ ନୁହେଁ, ବରଂ ପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଏହି ୨୦୦୦ ବ୍ୟାଚର ଆଇଏଏସ ଅଧିକାରୀ କେନ୍ଦୁଝରର ମନୋଜ ମଞ୍ଜରୀ ଶିଶୁ ଭବନ ପରିଦର୍ଶନ କରିଥିଲେ । ଏହି ଶିଶୁ ଭବନଟିକୁ ପରିଦର୍ଶନ କରିବା ସହିତ ଭିନ୍ନକ୍ଷମ ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ ଶ୍ରୀ ପାଣ୍ଡିଆନ ।

ସେହିପରି ଭାବେ ଅକ୍ଟୋବର ୧୨ ତାରିଖରେ ଶ୍ରୀ ପାଣ୍ଡିଆନ ଏବଂ ତାଙ୍କ ଟିମରେ ଥିବା ଅନ୍ୟ ସଦସ୍ୟମାନେ ବୌଦ୍ଧ ହସ୍ପିଟାଲରେ ଥିବା ଆହାରକେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଥିଲେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨ ତାରିଖରେ ଏହି ୫ ଟି ଯୋଜନାକୁ କାର୍ଯ୍ୟକାରୀ କରିବା ପରେ ୫ ଟି ସଚିବ ଶ୍ରୀ ପାଣ୍ଡିଆନ ରାଜ୍ୟର ବିଭିନ୍ନ ହସ୍ପିଟାଲ ଗୁଡ଼ିକୁ ପରିଦର୍ଶନ କରିବା ସହିତ ଡାକ୍ତରଖାନାଗୁଡ଼ିକରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି ।

ସେହିପରି ଭାବେ ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଥିବା ସମସ୍ତ ନିରାଶ୍ରୟକେନ୍ଦ୍ର ଓ ଶିଶୁ ଭବନଗୁଡ଼ିକୁ ସରକାରଙ୍କ ସମସ୍ତ ମନ୍ତ୍ରୀମାନେ ଅଚାନକ ପରିଦର୍ଶନ କରିବା ସହିତ ନିରାଶ୍ରୟ ଓ ଭିନ୍ନକ୍ଷମ ପିଲାମାନଙ୍କ ସହିତ ଭୋଜନ କରିବାକୁ ପରାମର୍ଶ ଦେଇଥିଲେ ।

ଶ୍ରୀ ପାଣ୍ଡିଆନ ଆଜି ତାଙ୍କର ଏହି ଭଦ୍ରକ ଗସ୍ତ ସମୟରେ ଅଚାନକ ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଡାକ୍ତରଖାନାର ବିଭିନ୍ନ ୱାର୍ଡ଼ ବୁଲି ଦେଖିବା ସହିତ ଅନେକ ରୋଗୀଙ୍କୁ ଚିକିତ୍ସା ସମ୍ପର୍କୀତ ଅନେକ କଥା ପଚାରି ବୁଝିଥିଲେ ୫ ଟି ସଚିବ ଶ୍ରୀ ପାଣ୍ଡିଆନ । ଏହି ଡ଼ାକ୍ତରଖାନରେ ଇଣ୍ଡିଆନ ଆଇଡ଼ଲ ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜଣେ ପ୍ରତିଦ୍ୱନ୍ଦ୍ୱୀ ଦୁର୍ଘଟଣାଗ୍ରସ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସେ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ସରକାରଙ୍କ ପକ୍ଷରୁ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସେ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପାଣ୍ଡିଆନଙ୍କ ସହିତ ଭଦ୍ରକ ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର ମଧ୍ୟ ରହିଥିଲେ । ସେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, ଡ଼ାକ୍ତରଖାନାର ପାର୍କିଂ ସ୍ଥାନର ବିକାଶ ଲାଗି ସରକାର ପଦକ୍ଷେପ ନେବେ ବୋଲି ଶ୍ରୀ ପାଣ୍ଡିଆନ ଆଶ୍ୱାସନା ପ୍ରଦାନ କରିଛନ୍ତି ।

ଭଦ୍ରକ ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.