ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଜଣେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ (ଏବିଡିଓ)ଙ୍କୁ ପତ୍ନୀ ହତ୍ୟା ଅଭିଯୋଗରେ ଗିରଫ କରିଛି ପୋଲିସ। ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଫେରାର ଥିଲେ ଡ଼ଅଁର ଗ୍ରାମର ଏବିଡିଓ ଦେବୀ ପ୍ରସାଦ ଜେନା। ତାଙ୍କୁ ଗିରଫ କରିଛି ନନ୍ଦିପଦା ପୋଲିସ। ଗତ ଅକ୍ଟୋବର ୨ ତାରିଖ ଦିନ ଦେବୀପ୍ରସାଦ ତାଙ୍କ ପତ୍ନୀ ସୁଦେଷ୍ନାଙ୍କୁ (୪୩) କୁରାଢ଼ିରେ ହାଣି ହତ୍ୟା କରି ଫେରାର ହୋଇ ଯାଇଥିଲେ।
ଘଟଣାର ୨୩ ଦିନ ପରେ ଗ୍ରାମବାସୀଙ୍କ ସହଯୋଗରେ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବୀ ପ୍ରସାଦ ବାବାଜୀ ବେଶରେ ଏକ ସାଇକେଲ ଯୋଗେ ଗାଁ ଭିତରକୁ ଯିବାବେଳେ କିଛି ଯୁବକ ଦେଖି ପୋଲିସକୁ ଖବର ଦେଇଥିଲେ। ନନ୍ଦିପଦା ଥାନା ପୋଲିସ ତୁରନ୍ତ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ତାଙ୍କୁ ଶାଳଣିଆ ମେଡିକାଲକୁ ନେଇ ଡାକ୍ତରୀ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତ ଗାଁକୁ ଆସିଥିବା ବେଳେ ଏକ ବ୍ୟାଗରେ ଅନେକ ମରଣାସ୍ତ୍ର ରଖିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପରକୀୟା ପ୍ରୀତି ଯୋଗୁଁ ଦେବୀ ପ୍ରସାଦ ଏହି ହତ୍ୟାକାଣ୍ଡ ଭିଆଇଥିବା ବେଳେ ପୋଲିସ କାହିଁକି ତାର ଭାଇବୋହୂଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ସେନେଇ ପୁଅ ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି। ତାର ଖୁଡ଼ୀଙ୍କ ପ୍ରରୋଚନାରେ ହତ୍ୟା ହୋଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରୁ ବୋଲି ସେ ଦାବି କରିଛନ୍ତି।
ସୂଚନା ଅନୁସାରେ, ଦେବୀପ୍ରସାଦଙ୍କ ପରକୀୟା ପ୍ରୀତିକୁ କେନ୍ଦ୍ର କରି ପତ୍ନୀ ସୁଦେଷ୍ଣାଙ୍କ ସହ ତିକ୍ତତା ଲାଗି ରହିଥିଲା। ସେ ପତ୍ନୀ ଓ ପୁଅ-ଝିଅଙ୍କୁ ନିର୍ଯାତନା ଦେବା ସହ ନିଜ ଘରେ ରହିବାକୁ ଦେଉନଥିଲେ। ସୁଦେଷ୍ଣା ବାପଘରେ ରହି ସିଲେଇ କରି ପୁଅଝିଅଙ୍କୁ ପାଠ ପଢ଼ାଉଥିଲେ। କିଛିଦିନ ତଳେ ଦେବୀପ୍ରସାଦ ପତ୍ନୀ ଓ ପୁଅଝିଅଙ୍କୁ ଆଣି ଡଅଁରସ୍ଥିତ ଘରେ ରଖିଥିଲେ। ଗୁରୁବାର ଅପରାହ୍ଣରେ ସେ ଖାଇ ସାରି ବାଡ଼ିରେ ମନ୍ଦାର ଗଛ ଲଗାଇବାକୁ ଝିଅଠାରୁ ଦାଆ ମାଗି ନେଇଥିଲେ। ଏହି ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜେନା ଘରୁ ଏକ କୁରାଢ଼ି ଆଣି ସୁଦେଷ୍ଣାଙ୍କ ବେକକୁ ଚୋଟ ପକାଇଥିଲେ।
ଝିଅ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସୁଦେଷ୍ଣା ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯିବା ପରେ ଜେନା ଦୌଡ଼ି ପଳାଇଥିଲେ। ଝିଅର ପାଟି ଶୁଣି ପୁଅ ଓ ପଡ଼ୋଶୀ ଦୌଡ଼ି ଆସି ସୁଦେଷ୍ଣାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଶାଳଣିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.