କେନ୍ଦୁଝର: ଯୋଡ଼ା ସହରରେ ଚାଞ୍ଚଲ୍ୟ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ଜଣେ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଭଡ଼ା ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଏକ ନୋଟ୍ ଜବତ ହୋଇଛି। ଏହା ହତ୍ୟା ନା ନିଜେ ଜୀବନ ହାରିଛନ୍ତି, ଏହାକୁ ନେଇ ସସପେନ୍ସ ଲାଗି ରହିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ସାଇ ମନ୍ଦିର ନିକଟ କଣ୍ଟ୍ରାକ୍ଟର କଲୋନୀସ୍ଥିତ ଏକ ଘରେ ମୃତ ଶିକ୍ଷୟତ୍ରୀ ଭଡ଼ାରେ ରହୁଥିଲେ। ମୃତ ଶିକ୍ଷୟିତ୍ରୀ ହେଉଛନ୍ତି ବାରିପଦା ଅଞ୍ଚଳର ୩୧ ବର୍ଷୀୟା ରୋଜାଲିକା ପାତ୍ର। ରୋଜାଲିକା ଯୋଡା ବ୍ଲକ ଲହଣ୍ଡା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହା ଜଣାପଡ଼ିନାହିଁ।
ଘଟଣାସ୍ଥଳରୁ ପୋଲିସ ଏକ ନୋଟ୍ ଜବତ କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଜବତ ନୋଟରେ କ’ଣ ଲେଖାଯାଇଛି ? ମୃତ୍ୟୁ ପଛରେ କେଉଁ କାରଣ ରହିଛି ? ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ସ୍ଥଳରେ ସାଇନ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ଦିଗକୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି ।
