Latest Odisha News

ଜାନୁଆରୀ ୫ରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଓଡ଼ିଶା ସଂସ୍କୃତିର ଝଲକ ଦେଖିବେ ପ୍ରବାସୀ ଭାରତୀୟ

ବୁବନେଶ୍ଵର: ଆସନ୍ତା ଜାନୁଆରୀ ୫ ତାରିଖରୁ ୧୨ଦିନ ଧରି ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ‘ପ୍ରବାସୀ ଭାରତୀୟ ସମ୍ମିଳନୀ’।  ଏହି ସମୟରେ ରାଜ୍ୟ ସରକାର ଆଦିବାସୀ ମେଳା ଆୟୋଜନ କରି ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାର ପାଇଁ ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂଚନା ଅନୁସାରେ, ଆସନ୍ତା ଜାନୁଆରୀ ୫ତାରିଖରୁ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଏହି ମେଳା ୧୨ଦିନ ଧରି ଚାଲିବ। ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଆଦିବାସୀଙ୍କ ଗାଁ, ଆଦିବାସୀଙ୍କ ଘର, ଆଦିବାସୀଙ୍କ ହାଟ ଆଦିର କୃତ୍ରିମ ସାଜସଜ୍ଜା ଓ ନିର୍ମାଣ ସହ ପ୍ରତ୍ୟେକ ସନ୍ଧ୍ୟାରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ, ଗୀତ, ବାଦ୍ୟଯନ୍ତ୍ର ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହାସହିତ ମେଳାରେ ଫୁଡ୍ କୋର୍ଟ ସହିତ ଆଦିବାସୀମାନଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ବନ୍ୟଜାତ ଦ୍ରବ୍ୟ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଜାନୁଆରୀ ୨୬ରୁ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତବର୍ଷ ଭୁବନେଶ୍ୱରରେ “ପ୍ରବାସୀ ଭାରତୀୟ ସମ୍ମିଳନୀ” ଆୟୋଜନ ହେଉଥିବାରୁ ରାଜ୍ୟ ସରକାର ଏହି ସମୟରେ ବିଭିନ୍ନ ମେଳା ଆଦିର ଆୟୋଜନ କରି ଓଡ଼ିଶାର ସଂସ୍କୃତିର ପ୍ରଚାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

Comments are closed.