ଖୋର୍ଦ୍ଧା: ଲାଞ୍ଚ ନେଉଥିଲେ, ହେଲେ ଧରା ପଡ଼ିବା ବେଳକୁ ଫିଲ୍ମ ଷ୍ଟାଇଲରେ ଚମ୍ପଟ ମାରିଲେ! ଭିଜିଲାନ୍ସ ଅଧିକାରୀଙ୍କୁ ସାମ୍ନାରେ ଦେଖି ଆଖିରେ ଧୂଳି ଦେଇ ବାଇକ୍ରେ ଖସିଯିବାରେ ସଫଳ ହୋଇଛନ୍ତି ଜଣେ ପୋଲିସ ବାବୁ। ଏଭଳି ଏକ ଚାଞ୍ଚଲ୍ୟକର ତଥା ନାଟକୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ। ନିଜର ଦୁର୍ନୀତି ଧରାପଡ଼ିବା ଭୟରେ ଲାଞ୍ଚ ଟଙ୍କା ସହ ଫେରାର୍ ହୋଇଯାଇଥିବା ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ନାଚୁଣୀ ଥାନାର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଅକ୍ଷୟ କୁମାର ସେଠୀ।
ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ ଅଞ୍ଚଳର ଏକ ଜମିଜମା ବିବାଦ ମାମଲା ନାଚୁଣୀ ଥାନାରେ ପହଞ୍ଚିଥିଲା। ଏହି ମାମଲାର ତଦନ୍ତ ଭାର ଏଏସ୍ଆଇ ଅକ୍ଷୟ କୁମାର ସେଠୀଙ୍କ ହାତରେ ଥିଲା। ତେବେ ଉକ୍ତ ଜମିଜମା ବିବାଦର ସମାଧାନ କରାଇଦେବା ଏବଂ ଅଭିଯୋଗକାରୀଙ୍କ ସପକ୍ଷରେ କାମ କରିବା ପାଇଁ ବାବୁ ଜଣକ ୫ ହଜାର ଟଙ୍କାର ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ବାଧ୍ୟ ହୋଇ ଟଙ୍କା ଦେବାକୁ ରାଜି ହୋଇଥିଲେ ସତ, କିନ୍ତୁ ଭିତରେ ଭିତରେ ଏନେଇ ଦୁର୍ନୀତି ନିବାରଣ (ଭିଜିଲାନ୍ସ) ବିଭାଗର ଦ୍ୱାରସ୍ଥ ହୋଇ ସବୁ କଥା ଜଣାଇଥିଲେ।
ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହ ଲାଞ୍ଚୁଆ ଏଏସ୍ଆଇଙ୍କୁ ରଙ୍ଗେ ହାତ ଧରିବା ପାଇଁ ଟ୍ରାପ୍ ବିଛାଯାଇଥିଲା। ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଜଣକ ରାସାୟନିକ ପ୍ରଲେପ ବୋଳା ୫ ହଜାର ଟଙ୍କା ନେଇ ଏଏସ୍ଆଇ ଶ୍ରୀ ସେଠୀଙ୍କୁ ଦେଇଥିଲେ। ସେଠାରେ ଛଦ୍ମବେଶରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଏଏସ୍ଆଇ ଟଙ୍କା ହାତକୁ ନେବା ମାତ୍ରେ ତାଙ୍କୁ କାବୁ କରିବାକୁ ମାଡ଼ି ଆସିଥିଲେ।
କିନ୍ତୁ ପରିସ୍ଥିତି ଏପରି ହେଲା ଯେ, ଭିଜିଲାନ୍ସ ଅଧିକାରୀମାନେ ପାଖରେ ପହଞ୍ଚିବା ପୂର୍ବରୁ ଆଗରେ ବିପଦ ଥିବା ଏଏସ୍ଆଇ ଜାଣିପାରିଥିଲେ। ଧରାପଡ଼ିବା ଭୟରେ ସେ କାଳବିଳମ୍ବ ନକରି ନିଜ ପାଖରେ ଥିବା ବାଇକ୍ ଷ୍ଟାର୍ଟ କରିଥିଲେ ଏବଂ ଲାଞ୍ଚ ଟଙ୍କା ସହ ଅଧିକାରୀଙ୍କ ଆଖି ସାମ୍ନାରେ ଦୃତ ଗତିରେ ଫେରାର୍ ହୋଇଯାଇଥିଲେ।
ଭିଜିଲାନ୍ସ ଟିମ୍ ତାଙ୍କୁ ଗୋଡ଼ାଇଥିଲେ ମଧ୍ୟ ସେ ହାବୁଡ଼ରେ ପଡ଼ିନଥିଲେ। ଖବର ଲେଖାହେବା ସୁଦ୍ଧା ଫେରାର୍ ଏଏସ୍ଆଇଙ୍କର କୌଣସି ପତ୍ତା ମିଳିପାରିନାହିଁ। ତେବେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।