Latest Odisha News

BREAKING NEWS

କେନ୍ଦ୍ର ଦ୍ୱାରା ଏସସି/ଏସଟି ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି କଟାଯିବାକୁ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଉଭୟ ଶାସକ ଓ ବିରୋଧୀଙ୍କ ହଣ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ବାଚସ୍ପତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତିରାଶି କଟାଯିବାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା ଶାସକ ବିଜୁ ଜନତା ଦଳ । ମ୍ୟାଟ୍ରିିକ୍ ପାସ କରିଥିବା ଅନୁସୂଚିତ ଜାତି ଓ ଉପଜାତିର ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ବୃତ୍ତିରେ କାଣ୍ଟଛାଣ୍ଟ କରାଯିବା ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ରକୁ ଅଭିଯୋଗ କରି ଏସମ୍ପର୍କୀତ ଏକ ପତ୍ର ଲେଖିଥିଲେ ।

ବିଜେଡ଼ି ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ମୁଖ୍ୟମନ୍ତ୍ରୀଙ୍କ ଏହି ପତ୍ରର ନକଲ ଦେଖାଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେଉଥିବା ଦେଖାଯାଇଥିଲା ।

ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହେବାପରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ଯୋଗୁଁ ଆଜି ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି ପ୍ରଦୀପ କୁମାର ଅମାତ ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୭ ତାରିଖରେ ଏନେଇ ଏକ ପତ୍ର କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥୱାର ଚାନ୍ଦ ଗେହଲଟଙ୍କୁ ପଠାଇଥିଲେ । ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପାଖାପାଖି ୯୦ ପ୍ରତିଶତ ଅନୁଦାନ ପ୍ରଦାନ କରୁଥିଲେ । ଯେଉଁଥିରେ କି ରାଜ୍ୟ ସରକାରଙ୍କ ବାସ୍ତବିକ ବ୍ୟୟର ୧୦ ପ୍ରତିଶତ ।

୨୦୧୬-୧୭ ଆର୍ଥୀକ ବର୍ଷରେ କେନ୍ଦ୍ର ପକ୍ଷରୁ ୨୧୫.୮୦ କୋଟି ଟଙ୍କା ଦିଆଯାଇଥିବା ବେଳେ ରାଜ୍ୟ ୨୨.୪୮ କୋଟି ଟଙ୍କା ପ୍ରଦାନ ହୋଇଥିଲା ।

ସେହିପରି, ୨୦୧୭-୧୮ ପରଠାରୁ ରାଜ୍ୟ ସରାକାରଙ୍କ ପ୍ରତି କେନ୍ଦ୍ର ସରକାର ମ୍ୟାଟ୍ରିକ ପରବର୍ତ୍ତୀ ବୃତ୍ତି ରାଶିରେ ପରିବର୍ତ୍ତନ କରିଥିଲେ । ସେଥିଲାଗି ରାଜ୍ୟ ସରକାରଙ୍କୁ ମୋଟ ବ୍ୟୟର ଅଧିକ ୮୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ପଡୁଛି ।

୨୦୧୭-୧୮ରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ୨୩୮.୨୮ କୋଟି ଦିଆଯିବା ସ୍ଥଳେ ରାଜ୍ୟକୁ ଏ ବାବଦରେ ମିଳିଥିଲା ମାତ୍ର ୩୫.୧୨ କୋଟି । ସେହିପରି ୨୦୧୮-୧୯ ଆର୍ଥୀକ ବର୍ଷରେ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କା ବୃତ୍ତି ରାଶି ଦେବା ପରିବର୍ତ୍ତେ କେନ୍ଦ୍ର ଏବାବଦରେ ୪୯.୩୯ କୋଟି ଟଙ୍କା ପ୍ରଦାନ କରୁଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ଅଚାନକ ଏପରି ଆର୍ଥୀକ ଅନୁଦାନରେ ପରିବର୍ତ୍ତନ ଅନୁସୂଚିତ ଜାତି ଓ ଉପଜାତିର ଛାତ୍ରଛାତ୍ରୀ ମାନେ ମାଟ୍ରିକ ପରବର୍ତ୍ତୀ ବୃତ୍ତି ପାଇବାର କାର୍ଯ୍ୟକ୍ରମରେ ବିଶେଷ ବାଧା ପହଞ୍ଚିଛି । ଏନେଇ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ କରିବା ସହିତ ପୂର୍ବ ପରି ୯୦:୧୦ ଅନୁପାତରେ କେନ୍ଦ୍ର ପୁନର୍ବାର ପୂର୍ବ ଅନୁଦାନର ପୁନଃସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ରରେ ଅନୁରୋଧ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.