Latest Odisha News

ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର: ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ। ଉଭୟ ବିରୋଧୀ ବିଜେପି, କଂଗ୍ରେସର ହଟଗୋଳ ଓ କକ୍ଷ ତ୍ୟାଗ ଫଳରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଡିସେମ୍ବର ୩୦ ପର୍ଯ୍ୟନ୍ତ ବିଧାନସଭା ଚାଲିବା ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି।

ଗୃହରେ କୌଣସି ସରକାରୀ କାର୍ଯ୍ୟ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗୃହରେ ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବ ଆଣିବା ପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରସ୍ତାବକୁ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ସମର୍ଥନ କରିଥିଲେ।

ବିଧାନସଭାର ଶୀତ ଅଧିବେଶନଟି ନଭେମ୍ବର ୨୧ ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବାର ଥିଲା। ହେଲେ ୨୬ ଦିନ ଆଗରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଗୋଟିଏ ବିଲ୍ ପାରିତ ହୋଇଛି। ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତରକୁ ନେଇ ପ୍ରବଳ ହୋ-ହଲ୍ଲା ହୋଇଥିଲା ।

Comments are closed.