Latest Odisha News

BREAKING NEWS

Odisha Assembly Adjourned: ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ହଙ୍ଗାମା, ଗଞ୍ଜାମ ବନ୍ୟା ଓ କୋଟିଆ ପ୍ରସଙ୍ଗରେ ଗୃହ ଅଚଳ; ୪ଟା ଯାଏଁ ମୁଲତବୀ ଘୋଷଣା…

ଭୁବନେଶ୍ବର: ପୁଣି ଅଚଳ ହେଲା ଓଡ଼ିଶା ବିଧାନସଭା। ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନାହିଁ। ଗଞ୍ଜାମ ବନ୍ୟା ପରିସ୍ଥିତି ଓ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନର କୋଟିଆ ସୀମା ବିବାଦକୁ ନେଇ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ଗୁରୁବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବ୍ୟାନର ଓ ପ୍ଲାକାର୍ଡ ଧରି ଗୃହ ଭିତରେ ପ୍ରତିବାଦ କରିଥିଲେ। ବିଜେଡି ସଦସ୍ୟମାନେ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଅନ୍ୟପଟେ କଂଗ୍ରେସ ସଦସ୍ୟମାନେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା କୋଟିଆ ସୀମା ବିବାଦ ଉପରେ ଆଲୋଚନା ପାଇଁ ଦାବି କରିଥିଲେ। ପ୍ରତିବାଦ ଯୋଗୁଁ ପ୍ରଶ୍ନକାଳରୁ ହିଁ ଗୃହର କାର୍ଯ୍ୟ ଅଚଳ ହୋଇପଡ଼ିଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସୂଚନାଯୋଗ୍ୟ, ଶୀତ ଅଧିବେଶନର ପ୍ରଥମ ଦିନ ବୁଧବାର ମଧ୍ୟ ଏହି ଦୁଇଟି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। ସେଦିନ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ଗଞ୍ଜାମ ବନ୍ୟା ମୁକାବିଲାରେ ସରକାରଙ୍କ ତଥାକଥିତ ବିଫଳତା ଏବଂ କୋଟିଆ ବିବାଦ ଉପରେ ଆଲୋଚନା ଦାବି କରିଥିଲେ। ଲଗାତାର ଦୁଇ ଦିନ ଧରି ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଶୀତ ଅଧିବେଶନର ନିୟମିତ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏବେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେଲେ କେଉଁ ପ୍ରସଙ୍ଗ ଉଠିବ ଏବଂ ବିରୋଧୀଙ୍କ ପ୍ରତିବାଦ ଜାରି ରହିବ କି ନାହିଁ, ତାହା ଉପରେ ନଜର ରହିଛି।

Leave A Reply

Your email address will not be published.