ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଥିଲା ଗୃହ।
ଏହି ୧୧ ଦିନ ମଧ୍ୟରେ ୧୭,୪୪୦ କୋଟି ଟଙ୍କାର ସପ୍ଲିମେଣ୍ଟରୀ ବଜେଟ୍ ଏବଂ କିଛି ପ୍ରମୁଖ ବିଲ୍ ଗୃହୀତ ହୋଇଥିଲା।
ତେବେ ଏହି ଅଧିବେଶନ ନଭେମ୍ବର ୨୭ ତାରିଖରେ ରାଷ୍ଟ୍ରପତିଙ୍କ ଐତିହାସିକ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା।
ଏଥର ବିଧାନସଭାର ଶୀତ ଅଧିବେଶନ ବେଶ ଚର୍ଚ୍ଚିତ ଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ । ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେ ନେଇ ସଚେତନ କରାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଧାନସଭା ସମୟରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ବିଧାନସଭା ଆରମ୍ଭରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଆଉ ଶେଷ ସମୟରେ ମାଲକାନଗିରିକୁ ନେଇ ଗୃହ କମ୍ପିଥିଲା ।
ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ବିରୋଧୀ ଶାସକ ଦଳକୁ ଘେରିଥିଲେ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଉପରେ ବର୍ଷିବା ସହ ଅପାରଗତା ସମ୍ପର୍କରେ କହିଥିଲେ । ମଣିପୁର ପରି ମାଲକାନଗିରି ଜଳୁଛି, ହେଲେ ସରକାର ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି ସେ କହିଥିଲେ । ମାଲକାନଗିରି ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ଘଟଣା ପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ପ୍ରଶାସନ ତରଫରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଶାନ୍ତି ଫେରାଇ ଆଣିବା ପାଇଁ ୨୪ ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।