Latest Odisha News

ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର: ସମ୍ବର୍ଦ୍ଧିତ ହେବେ ୧୬ ବୈଜ୍ଞାନିକ

ଭୁବନେଶ୍ୱର: ଘୋଷଣା ହୋଇଛି ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପୁରସ୍କାର ତାଲିକା । ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ତାଲିକା ପ୍ରକାଶ ପାଇଛି । ଏଥିରେ ୫ଟି ବର୍ଗରେ ୧୬ ଜଣ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯିବ । ଏହି ବୈଜ୍ଞାନିକମାନଙ୍କୁ ଆଗକୁ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ ।

କିଟ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ବାୟୋଟେକ୍‌ନୋଲୋଜିର ପ୍ରଫେସର କ୍ଷୀରୋଦ କୁମାର ଜେନାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ । ସେହିପରି କଟକସ୍ଥିତ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇର ପ୍ରମୁଖ ବୈଜ୍ଞାନିକ ଡ. ସଂଘମିତ୍ରା ସାମନ୍ତରାୟଙ୍କୁ ଜୀବ ବିଜ୍ଞାନ, ଜଟଣୀସ୍ଥିତ ନାଇଜରର ପ୍ରଫେସର ବେଦାଙ୍ଗଦାସ ମହାନ୍ତିଙ୍କୁ ଭୌତିକ ବିଜ୍ଞାନ, ନିଟ୍‌ ରାଉରକେଲାର ପ୍ରଫେସର ସୁବ୍ରତ କୁମାର ପଣ୍ଡାଙ୍କୁ ଯାନ୍ତ୍ରିକ ଓ ପ୍ରାଦ୍ୟୋଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ରେ ସମ୍ମାନିତ କରାଯିବ । ଏଥିସହ ରାଜ୍ୟ ବାହାରେ କାର୍ଯ୍ୟରତ ପିଜିଆଇଏମ୍‌ଇଆର୍‌, ଚଣ୍ଡୀଗଡ଼ର ପ୍ରଫେସର ପିନାକୀ ଦତ୍ତଙ୍କୁ ଲାଇଫ୍‌ ସାଇନ୍ସ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ନିମନ୍ତେ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ ।

ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, କଟକର ସହକାରୀ ପ୍ରଫେସର ଡ. ସରିତା ଶେଖର ପଟ୍ଟନାୟକ, ରିଜିଓନାଲ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଏଜୁକେସନ୍‌, ଭୁବନେଶ୍ୱରର ସହକାରୀ ପ୍ରଫେସର ଡ. ଅପ୍ରମିତା ଚାନ୍ଦ, ଏନ୍‌ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ରାଜେଶ କୁମାର ପୃଷ୍ଟିଙ୍କୁ ଯୁବବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯିବ । ସେହିଭଳି ରାଜ୍ୟ ବାହାରେ କାର୍ଯ୍ୟରତ ଶ୍ରେଣୀରେ ଜାତୀୟ ବୈଷୟିକ ପ୍ରତିଷ୍ଠାନ, ୱାରଙ୍ଗଲ ସହକାରୀ ପ୍ରଫେସର ଡଃ ସଞ୍ଜୟ କୁମାର ପଣ୍ଡାଙ୍କୁ ମଧ୍ୟ ଓଡିଶା ଯୁବ ବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯିବ । ଏଥି ସହ ରବିନ୍ଦନାଥ ମାଝୀ ଓ ତୁଳସୀ ସ୍ୱାଇଁଙ୍କୁ ଯଥାକ୍ରମେ ସାଧାରଣ ଓ ଶିଶୁ ବର୍ଗରେ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯିବ । ଏହା ବ୍ୟତୀତ ଡ. ରାଜା କିଶୋର ପରମଗୁରୁ, ଡ. ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରଫେସର କୃଷ୍ଣଚନ୍ଦ୍ର ମହାନ୍ତି, ପ୍ରଫେସର ଡ. ଆର୍‌. ଭୀମା ରାଓ ଓ ପ୍ରଫେସର ମଳୟ କୁମାର ମିଶ୍ରଙ୍କୁ ମଧ୍ୟ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯିବ ।

 

Leave A Reply

Your email address will not be published.