Latest Odisha News

BREAKING NEWS

ନିଜକୁ ନିଜେ ଅଯୋଗ୍ୟ, ଅପାରଗ କହି ହେଉଛି ଓଡ଼ିଶା ବିଜେପି !

– ଦେବଦତ୍ତ ରଥ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜଣେ ଓଡ଼ିଆ, ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାୟତଃ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର କଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଓଡ଼ିଶା ବିଜେପି ପକ୍ଷରୁ କୁହାଯାଇ ଆସୁଛି । ଏବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ମୋଦିଙ୍କ ଶାସନ କାଳରେ ଜାତୀୟ ସ୍ତରରେ ଓଡ଼ିଆଙ୍କ ପ୍ରଭାବ ବୃଦ୍ଧିର ଆଉ କିଛି ଉଦାହରଣ ଦେଇ ଓଡ଼ିଶା ବିଜେପି ସେହି କଥାକୁ ପୁଣି ଦୋହରାଉଛି ।

ବାସ୍ତବରେ ଦେଖିବାକୁ ଗଲେ ଅନେକ ଓଡ଼ିଆ ଏବେ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ଅଛନ୍ତି । ପ୍ରଶାସନିକ କ୍ଷେତ୍ରରେ ଦେଖିଲେ ଜଣେ ଓଡ଼ିଆ ପି.କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଅଛନ୍ତି । ମୋଦି ସରକାରଙ୍କ ପ୍ରଥମ ପାଳିରେ ଅତିରିକ୍ତ ସଚିବ ଏବଂ ୨୦୧୯ ସେପ୍ଟେମ୍ୱରରୁ ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଆରବିଆଇ ଗଭର୍ଣ୍ଣର ଭାବରେ ପ୍ରଥମ ଓଡ଼ିଆ ଭାବରେ ନିଯୁକ୍ତି ପାଇଛନ୍ତି ଶକ୍ତିକାନ୍ତ ଦାସ । ସେହିପରି ଆଉ ଜଣେ ଓଡ଼ିଆ, ବରିଷ୍ଠ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ ଏନସିବି ଡିଜି ରହିଛନ୍ତି । ଏହାପୂର୍ବରୁ ସେ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଜାତୀୟ ଦୁର୍ବିପାକ ପ୍ରଶମନ ବଳ (ଏନଡିଆରଏଫ)ର ଡିଜି ଭାବରେ ଦାୟିତ୍ୱ ତୁଲାଇଥିଲେ ।

କେନ୍ଦ୍ର ସରକାରଙ୍କ ବିକାଶ ମନ୍ତ୍ରଣାଳୟର ଉତ୍ତର- ପୂର୍ବାଞ୍ଚଳ ବିଭାଗ ଯୁଗ୍ମ ସଚିବ ମଧ୍ୟ ସେ ରହି ସାରିଛନ୍ତି । ଦେଶର ପାଣିପାଗ ବିଭାଗର ମୁଖ୍ୟ ପଦବୀରେ ରହିଛନ୍ତି ଜଣେ ଓଡ଼ିଆ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସେହିପରି ଓଡ଼ିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ, ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ, ଗୀରିଶ ମୁର୍ମୁ ଜମ୍ମୁକାଶ୍ମୀରର ପ୍ରଥମ ଉପ- ରାଜ୍ୟପାଳ ଭାବରେ ନିଯୁକ୍ତି ପାଇଛନ୍ତି । ସେହିପରି ମୋଦି ସରକାରଙ୍କ ମନ୍ତ୍ରାଳୟ କଥା ଦେଖିଲେ, ମୋଦି ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ପୁଣି ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପୁଣି ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ବିଶ୍ୱେଶ୍ୱର ଟୁଡୁ ଏବଂ ଓଡ଼ିଶା କୋଟାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ଆଦି ମୋଦି ସରକାରଙ୍କରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ପାରିଛନ୍ତି ।

ଏମିତିରେ ଓଡ଼ିଶା ଲୋକ ମଧ୍ୟ ମୋଦିଙ୍କୁ ଖୁବ୍ ଭଲ ପାଆନ୍ତି । ବୋଧହୁଏ ତାଙ୍କ ଗୃହରାଜ୍ୟ ଗୁଜରାଟ ଠାରୁ ଓଡ଼ିଶା ଲୋକ ମୋଦିଙ୍କୁ ଅଧିକ ଭଲ ପାଆନ୍ତି ! କାରଣ, ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ପରେ ପରେ ଏକ ଅନୁସନ୍ଧାନକାରୀ ସଂସ୍ଥା ସି- ଭୋଟର, “ସର୍ବ ବୃହତ, ନିଶ୍ଚିତ ତଥା ସ୍ଵାଧୀନ ସର୍ବେକ୍ଷଣ” ଷ୍ଟେଟ୍ ଅଫ୍ ଦି ନେସନ୍- ୨୦୨୦: ମଇ ନାମକ ଏକ ସର୍ଭେ କରିଥିଲା । ସର୍ଭେ ଅନୁଯାୟୀ ଲୋକପ୍ରିୟତାରେ ମୋଦି ୬୫.୬୯% ଲୋକଙ୍କ ସମର୍ଥନ ପାଇଥିଲେ । ସମଗ୍ର ଦେଶରୁ ମତ ଗ୍ରହଣ ହୋଇଥିବା ଲୋକଙ୍କ ମଧ୍ୟରୁ ୫୮.୩୬% ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥିବା ବେଳେ ୨୪.୦୪% ଲୋକ କିଛି ମାତ୍ରାରେ ସନ୍ତୁଷ୍ଟ ଏବଂ ଅବଶିଷ୍ଟ ୧୬.୭୧ % ଲୋକ ଆଦୌ ସନ୍ତୁଷ୍ଟ ନଥିବା ମତ ଦେଇଥିଲେ ।

ମୋଦିଙ୍କ ଲୋକପ୍ରିୟତାକୁ ନେଇ ସର୍ଭେରେ ସବୁଠାରୁ ବଡ଼ ଅବଦାନ ରହିଥିଲା ଓଡ଼ିଶାର । ମୋଦିଙ୍କ ପ୍ରଦର୍ଶନ ପାଇଁ ଓଡ଼ିଶାର ଜନତା ମୋଦିଙ୍କୁ ସର୍ବାଧିକ ୯୫.୬ ପଏଣ୍ଟ ଦେଇଥିଲେ । ଏପରିକି ମୋଦି ତାଙ୍କ ଗୃହ ରାଜ୍ୟ ଗୁଜରାଟ ସମେତ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାରୁ ଯଥେଷ୍ଟ ଅଧିକ ସମର୍ଥନ ପାଇଥିଲେ । ଅର୍ଥାତ୍ ସର୍ଭେ ମୁତାବକ ସମଗ୍ର ଦେଶ ଭିତରେ ଓଡ଼ିଶାରେ ମୋଦି ଅଧିକ ଲୋକପ୍ରିୟ । ଯାହାକୁ ନେଇ ସେତେବେଳେ ଓଡ଼ିଶା ବିଜେପି ବଡ଼ ଖୁସି ପ୍ରକଟ କରିଥିଲା ।

ତେବେ, ଏଠି ପ୍ରଶ୍ନ ଉଠୁଛି, ଯଦି ମୋଦିଙ୍କ ଶାସନ କାଳରେ ଜାତୀୟ ସ୍ତରରେ ଓଡ଼ିଆଙ୍କ ପ୍ରଭାବ ବୃଦ୍ଧି ପାଇଛି, ମନ୍ତ୍ରୀ ମଣ୍ଡଳରେ ଅନେକ ଓଡ଼ିଆ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ ସ୍ଥାନ ପାଇଛନ୍ତି, ତେବେ ଓଡ଼ିଶାରେ ବିଜେପି ବିଫଳ ହେଉଛି କାହିଁକି ? ସର୍ଭେ ମୁତାବକ ସମଗ୍ର ଦେଶ ଭିତରେ ଓଡ଼ିଶାରେ ମୋଦି ଅଧିକ ଲୋକପ୍ରିୟ ବୋଲି ପ୍ରମାଣ ମିଳୁଛି, ତେବେ ଓଡ଼ିଶାରେ ନିର୍ବାଚନ ବେଳେ ଏହି ଲୋକପ୍ରିୟତା ଏବଂ ମୋଦିଙ୍କ ପ୍ରତି ଓଡ଼ିଶା ଲୋକଙ୍କ ଭଲ ପାଇବା ଯାଉଛି କୁଆଡ଼େ ? ଓଡ଼ିଶାରେ କାହିଁକି ବାରମ୍ବାର ବିଫଳ ହେଉଛି ବିଜେପି ? ଏହାର କାରଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚଣ୍ଡ ଲୋକପ୍ରିୟତା ଏବଂ ଓଡ଼ିଶା ବିଜେପିରେ ତାଙ୍କର କେହି ବିକଳ୍ପ ଚେହେରା ନାହାନ୍ତି ବୋଲି କୁହାଯିବ, ନାଁ ଓଡ଼ିଶା ବିଜେପିର ଅପାରଗ ତଥା ଦୃବଳ ନେତୃତ୍ୱକୁ ଏଥି ପାଇଁ ଦାୟୀ କରାଯିବ ?

Leave A Reply

Your email address will not be published.