Latest Odisha News

BREAKING NEWS

ଦିଲ୍ଲୀ ଗସ୍ତରେ ମନମୋହନ, ରାଜ୍ୟ କମିଟି ଓ ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ଚର୍ଚ୍ଚା

ଭୁବନେଶ୍ଵର: ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମାନଙ୍କ ସହ କରିପାରନ୍ତି ଆଲୋଚନା। ଆସନ୍ତାକାଲି ଦିଲ୍ଲୀରେ ରହିଛି ଏନଡିଏ ସାଂସଦମାନଙ୍କ ବୈଠକ। ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି। ରାଜ୍ୟ କମିଟି ଓ ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି।

ନିକଟରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲ ଓଡ଼ିଶା ଗସ୍ତରେ ଆସି ଫେରିଛନ୍ତି। ତେଣୁ କିଛି ବଡ଼ ଧରଣର ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଛି। ମୋହନଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ଦଳ ପାଇଁ ବର୍ଷ ବର୍ଷ ଧରି ନିଷ୍ଠାର ସହ କାମ କରିଥିବା ନେତାମାନେ ନିଗମ ଓ ବୋର୍ଡରେ ଥଇଥାନ ହେବାକୁ ଗୋଡ଼ ଟେକି ବସିଛନ୍ତି। ଦଳୀୟ କମିଟିରେ ମଧ୍ୟ କିଏ ସ୍ଥାନ ପାଇବ ସେ ନେଇ ଛକାପଞ୍ଝା ଲାଗିରହିଛି।

ବିଜେପି ହାଇକମାଣ୍ଡ ସରକାର ସଂଗଠନ ମଧ୍ୟରେ ପୂର୍ଣ୍ଣ ସମନ୍ୱୟ ଉପରେ ଜୋର୍‌ ଦେଉଥିବାରୁ ମୋହନ-ମନମୋହନ ନିକଟରେ ଦିଲ୍ଲୀ ଯାଇ ଏ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳୁଛି । ଆଶାୟୀମାନେ ବ୍ୟଗ୍ରତାର ସହ ନିଗମ-ବୋର୍ଡ ନିଯୁକ୍ତିକୁ ଅପେକ୍ଷା କରିଛନ୍ତି । ନୂଆଦିଲ୍ଲୀ ଗସ୍ତରୁ ଫେରି ମନମୋହନଙ୍କ ବୟାନ ଆଶାୟୀମାନଙ୍କ ହୃତ୍‌ସ୍ପନ୍ଦନ ବଢ଼ାଇ ଦେଇଛି। ୨୦ ତାରିଖ ପରେ ଏ ସମ୍ପର୍କରେ ଘୋଷଣା ହୋଇପାରେ ବୋଲି ମନମୋହନ କହିଥିବାରୁ ଆଜିର ଦିଲ୍ଲୀ ଗସ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।

Comments are closed.