Latest Odisha News

ମଦୁଆ ବରକୁ ଦେଖି ବିବାହ ବେଦୀ ଛାଡ଼ିଲେ କନ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିବାହ ବେଦୀରେ ବର ମଦ୍ୟପାନ କରିଥିବା ଜାଣିବା ପରେ କନ୍ୟା ବେଦୀ ଛାଡ଼ି ବିବାହ କରିବାକୁ ମନା କରିଦେଇଛନ୍ତି । ମମତା ଭୋଇ ନାମ୍ନୀ ଜନୈକା ଯୁବତୀଙ୍କ ଏହି ସାହସିକ ପଦକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନ ତାଙ୍କୁ ସମ୍ବର୍ଦ୍ଦିତ କରିଛି । ଏହି ଘଟଣା ସମ୍ପର୍କରେ ମହିଳା ଚ୍ୟାନେଲ୍ ‘ସି ଦ ପିପୁଲ୍’ ରେ ପ୍ରସାରିତ ହେବା ପରେ ଏହା ଏବେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

“ବିବାହ ମଣ୍ଡପରେ ବ୍ୟକ୍ତି ଜଣକ ମଦ୍ୟପାନ କରିଥିବା ଦେଖିଲି । ମୁଁ ତତକ୍ଷଣାତ୍ ସେହିଠାରେ ସେହି ଯୁବକଙ୍କୁ ବାହା ନ’ହେବାକୁ ନିଷ୍ପତ୍ତି ଗ୍ରହଣ କଲି । ଲୋକଟି ଏତେମାତ୍ରାରେ ପିଇଥିଲା ଯେ, ବେଦୀରେ ସ୍ୱାଭାବିକ ଭାବେ ଛିଡ଼ା ହୋଇପାରୁନଥିଲା । ବିବାହ ବେଦୀରେ ମଧ୍ୟ ମଦ୍ୟପାନ କରିଥିବା ଗୋଟିଏ ମଦୁଆକୁ ବିବାହ କରି ମୁଁ କିପରି ଶାନ୍ତିରେ ବୈବାହିକ ଜୀବନ ଅତିବାହିତ କରିପାରିବି ବୋଲି ଚିନ୍ତାରେ ପଡ଼ିଥିଲି । ମୁଁ ଠିକ୍ ନିଷ୍ପତ୍ତି ଗ୍ରହଣ କରିଛି ବୋଲି ହୃଦୟଙ୍ଗମ କରୁଛି ।” ଏହି କଥା କହିଛନ୍ତି କନ୍ୟା ମମତା ଭୋଇ ।

ସବୁଠାରୁ ବଡ଼ କଥାହେଲା ଯେ, ବିବାହ ବେଦୀ ଉପରେ କନ୍ୟାର ଏହି ରୋକଠୋକ୍ ନିଷ୍ପତ୍ତିକୁ ତା’ର ବାପଘର ଲୋକେ ମଧ୍ୟ ସମର୍ଥନ କରିଛନ୍ତି । “ମଦ୍ୟପକୁ ବିବାହ ମଣ୍ଡପରେ ବାହା ନ’ହେବାକୁ ନିଷ୍ପତ୍ତି ନେଇ ମମତା ଠିକ୍ କରିଛି ଏବଂ ଏହା ସମାଜ ଲାଗି ଏକ ଦୃଷ୍ଟାନ୍ତ ସ୍ୱରୂପ । ଏବେଠାରୁ କନ୍ୟାଘର ଝିଅକୁ ବିହାହ ଦେବା ପୂର୍ବରୁ ବର ମଦ୍ୟପ ନଥିବା କଥା ଜାଣି ସଚେତନ ହେବା ଆବଶ୍ୟକ ।” ଏହା କହିଛନ୍ତି ସମ୍ବଲପୁର ଏସପି ସଞ୍ଜିବ ଆରୋରା । ଏବେ ଏହି କନ୍ୟାଙ୍କର ବିବାହ ବ୍ରଜରାଜନଗରର ଜଣେ ଯୁବକଙ୍କ ସହିତ ଆୟୋଜନ କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସମ୍ବଲପୁର ଏସପି ସଞ୍ଜିବ ଆରୋରାଙ୍କ ଉପସ୍ଥିତିରେ କନ୍ୟାକୁ ସମ୍ବର୍ଦ୍ଦିତ କରାଯାଇଛି ।

Leave A Reply

Your email address will not be published.