Latest Odisha News

BREAKING NEWS

ମନ୍ତ୍ରିମଣ୍ଡଳ ସଂପ୍ରସାରଣ…ପ୍ରଭାବଶାଳୀ ଗୋଷ୍ଠୀର ପକ୍ଷଛେଦନ!

ଭୁବନେଶ୍ବର: ଆଉ ଦିନ କେଇଟା ଅପେକ୍ଷା । ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ରାଜ୍ୟ ବିଜେପି ସଭାପତି ହେବା ପରେ ଏନେଇ ଇସାରା କରିଛନ୍ତି ମନମୋହନ ସାମଲ । ଏହାପରଠୁ ମନ୍ତ୍ରିମଣ୍ଡଳରୁ ବାଦ ପଡିବା ଆଶଙ୍କାରେ ଥିବା ମନ୍ତ୍ରୀଙ୍କ ହାର୍ଟବିଟ୍ ବଢିଛି । ସେପଟେ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଜୋରଦାର ହେଲାଣି । ଅନ୍ଦର ମହଲର ସୂଚନା ଅନୁସାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ବିଜେପିର ପ୍ରଭାବଶାଳୀ ଗୋଷ୍ଠୀର ପକ୍ଷଛେଦନ କରାଯାଇପାରେ । ସରକାର ଗଠନ ପରଠୁ ରାଜ୍ୟ ବିଜେପିର ଗୋଷ୍ଠୀ କନ୍ଦଳ ଚର୍ଚ୍ଚାରେ ରହିଛି । ଅନେକ ଥର ଗୋଷ୍ଠୀ କନ୍ଦଳକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଛି । ତେଣୁ ପ୍ରଭାବଶାଳୀ ଗୋଷ୍ଠୀକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ସାଇଡଲାଇନ୍ କରାଯାଇପାରେ ବୋଲି କୁହାଯାଉଛି । 

ବାଦ ପଡିବେ ୩ରୁ ୪ ମନ୍ତ୍ରୀ !

କେମିତି ହେବ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ? ଚର୍ଚ୍ଚା ହେଉଛି, ଅଧିକାଂଶ ମନ୍ତ୍ରୀଙ୍କ କାମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସନ୍ତୁଷ୍ଟ ନାହାନ୍ତି । ସ୍ବାସ୍ଥ୍ୟ, ଆଇନ, ଯୋଗାଣ, ଉଚ୍ଚଶିକ୍ଷା ପରି ବିଭାଗ ଗତ ବର୍ଷକ ମଧ୍ୟରେ ବିବାଦକୁ ଆସିଛି । ଏହାସହ ୬ମନ୍ତ୍ରୀପଦ ଖାଲି ରହିଥିବାରୁ ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଛି । ଏହାର ପ୍ରଭାବ ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପଡୁଛି। ତେଣୁ ବିଭାଗ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ନିଷ୍ପତ୍ତି ନେଇପାରନ୍ତି । ଉଭୟଙ୍କ ମଧ୍ୟରେ ମନ୍ତ୍ରିମଣ୍ଡଳ ରୂପରେଖ ନେଇ ପ୍ରାଥମିକ ଆଲୋଚନା ହୋଇଥିବା କୁହାଯାଉଛି । ପ୍ରତି ଲୋକସଭାକୁ ପ୍ରତିନିଧିତ୍ବ ସାଙ୍ଗକୁ ମହିଳାଙ୍କୁ ଅଧିକ ଭାଗିଦାରୀ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି ।

ବୋର୍ଡ, ନିଗମ ପାଇଁ ଲବି

ବର୍ଷେ ହେଲା ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀ ପଦ ଖାଲି ପଡିଥିବା ବେଳେ ବୋର୍ଡ, ନିଗମ, ଏକାଡେମୀ ଓ କମିଶନରେ ଏପର୍ଯ୍ୟନ୍ତ ନିଯୁକ୍ତି କରିପାରି ନାହାନ୍ତି ରାଜ୍ୟ ସରକାର । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ଏସବୁ ପଦ ବି ପୂରଣ କରିବା ନେଇ ନିଷ୍ପତ୍ତି ନିଆଯିବ। ଗତ ବର୍ଷେ ହେଲା ଗୋଷ୍ଠୀ କନ୍ଦଳ, ଲବି ରାଜନୀତି ପାଇଁ ଏସବୁ ପଦ ପୂରଣ ହୋଇ ପାରିନଥିବା କୁହାଯାଉଛି । ତେବେ ମନମୋହନ ସାମଲ ପୁଣି ରାଜ୍ୟ ସଭାପତି ହେବା ପରେ ଏନେଇ ନିଷ୍ପତ୍ତି ନିଆଯିବ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଚୂଡାନ୍ତ ନିଷ୍ପତ୍ତି ନେଇପାରନ୍ତି । ଏହାପରେ ନିଗମ, ବୋର୍ଡ ପଦ ପୂରଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ପ୍ରଭାବଶାଳୀ ଗୋଷ୍ଠୀର ପକ୍ଷଛେଦନ !

ବିଜେପି ସରକାର ଗଠନ କରିବା ପରଠୁ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀର ଅନଧିକୃତ ହସ୍ତକ୍ଷେପ ନେଇ ଚର୍ଚ୍ଚା ହୋଇଆସୁଛି । ରଥଯାତ୍ରା ମହାବିଭ୍ରାଟ ହେଉ କି ବିଏମସି ଅଧିକାରୀଙ୍କୁ ମାଡ଼ ମରା ଘଟଣା, ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ଦଳର ନେତାଙ୍କ ବୟାନ ଉଭୟ ବିଜେପି ଓ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି । ଏପରିକି ସଂପୃକ୍ତ ଗୋଷ୍ଠୀର ନେତା ଜାଣିଶୁଣି ସରକାରଙ୍କୁ ଅକଳରେ ପକାଇବାକୁ ଉଦ୍ୟମ କରୁଥିବା ବି କୁହାଯାଉଛି । ତେଣୁ ଚର୍ଚ୍ଚା ହେଉଛି, ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମିଶି ପ୍ରଭାବଶାଳୀ ଗୋଷ୍ଠୀର ନେତାଙ୍କୁ ସାଇଡ୍ ଲାଇନ୍ କରିବାକୁ ବଡ଼ ନିଷ୍ପତ୍ତି ନେଇପାରନ୍ତି । କାରଣ ବିଜେପି ହାଇକମାଣ୍ଡ ଉଭୟଙ୍କୁ ଓଡିଶା ଦାୟିତ୍ବ ଦେଇଛନ୍ତି ।

ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଠନ କରିବା ବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ସବୁଠୁ ଆଗରେ ଥିଲେ ପ୍ରଭାବଶାଳୀ ଗୋଷ୍ଠୀର ନେତା । ହେଲେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ବଡ଼ ସରପ୍ରାଇଜ୍ ଦେଇଥିଲେ ବିଜେପି ହାଇକମାଣ୍ଡ । ହେଲେ ସେବେଠାରୁ ସଂପୃକ୍ତ ଗୋଷ୍ଠୀର ହସ୍ତକ୍ଷେପ ଓ ଚାପ ରହିଥିଲା । ଏହାର ପ୍ରଭାବ ମନ୍ତ୍ରିମଣ୍ଡଳରେ ବି ଦେଖିବାକୁ ମିଳିଥିଲା । ଗୋଷ୍ଠୀ କନ୍ଦଳ ନେଇ ଦଳ ବ୍ୟାକଫୁଟକୁ ଯିବା ପରେ ଏବେ ସେହି ଗୋଷ୍ଠୀକୁ ସାଇଡ୍ କରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହା କିଛି ମନ୍ତ୍ରୀଙ୍କ ଚିନ୍ତା ବଢାଇଥିବା କୁହାଯାଉଛି ।

Comments are closed.