Latest Odisha News

BREAKING NEWS

ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ଯୁବ, ମହିଳାଙ୍କୁ ଫୋକସ୍ !

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ବଢିଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ବିଜେପି ହାଇକମାଣ୍ଡରୁ ଗ୍ରୀନ୍ ସିଗନାଲ ମିଳି ସାରିଥିବା ବେଳେ ମନ୍ତ୍ରୀ ପଦକୁ ନେଇ ଘନ ଘନ ବୈଠକ ବସୁଛି । ରାଜ୍ୟର ସବୁ ଅଞ୍ଚଳରୁ ପ୍ରତିନିଧିତ୍ବ ସାଙ୍ଗକୁ ଜାତି ସମୀକରଣ କଷୁଛନ୍ତି ନେତା। ସେପଟେ ଆଶାୟୀ ଚଳାଇଛନ୍ତି ଜୋରଦାର ଲବି । ବିଜେପିର ବିଭିନ୍ନ ଗୋଷ୍ଠୀ ମଧ୍ୟ ମାରାଥନ୍ ବୈଠକ କରୁଛନ୍ତି । ନିଜ ପସନ୍ଦର ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ବିଜେପି ନେତୃତ୍ବଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଜଣାପଡୁଛି । ସେପଟେ ଯୁବ, ମହିଳା ଓ ବରିଷ୍ଠଙ୍କ ପରି ସବୁ ବର୍ଗର ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ନେଇ ଆଲୋଚନା ଚାଲିଛି । ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଥିବା ବେଳେ, ୬ମନ୍ତ୍ରୀ ପଦ ପୂରଣ ହୋଇପାରିନି । ପ୍ରଦର୍ଶନ ଭିତ୍ତିରେ କିଛି ମନ୍ତ୍ରୀଙ୍କ ପଦ ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଏମାନଙ୍କୁ ମିଳିପାରେ ମନ୍ତ୍ରୀ ପଦ !

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଲେ କାହାକୁ ମିଳିବ ମନ୍ତ୍ରୀ ପଦ? ରେସରେ ଆଗରେ ରହିଛି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ । ପୂର୍ବ ବିଜେଡି ସରକାର ବେଳେ ବିରୋଧୀ ଦଳ ନେତା ଥିଲେ ଜୟନାରାୟଣ । ପଶ୍ଚିମ ଓଡିଶାର ଏହି ଟାଣୁଆ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ନକରିବାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଗଣମାଧ୍ୟମ ଆଗରେ ଅସନ୍ତୋଷ ନେଇ ବି ଇସାରା ଦେଇଥିଲେ ଜୟନାରାୟଣ । ତେଣୁ ତାଙ୍କୁ ଏଥର ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି । ସେହିପରି ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । କଣ୍ଟାବାଞ୍ଝି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ମନ୍ତ୍ରୀ ପଦ ରେସରେ ରହିଛନ୍ତି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନରେ ହରାଇ ଚର୍ଚ୍ଚାକୁ ଆସିଥିଲେ ଲକ୍ଷ୍ମଣ ବାଗ । ବିଜେପି ସରକାର ଗଢିବା ବେଳେ ମଧ୍ୟ ସେ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ କୁହାଯାଉଥିଲା । ଏବେ ପୁଣି ଲକ୍ଷ୍ମଣ ବାଗଙ୍କ ନାଁ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି ।

ଯୁବ, ମହିଳାଙ୍କୁ ଫୋକସ୍

୬ମନ୍ତ୍ରୀ ପଦ ଖାଲି ରହିଥିବା ବେଳେ ବିଜେପିର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଜୋରଦାର ଲବି ହେଉଛି । ଦକ୍ଷ ତଥା ବିଧାନସଭାରେ ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ । ବରିଷ୍ଠ ସାଙ୍ଗକୁ ଯୁବ ଚେହେରାଙ୍କୁ ସ୍ଥାନ ଦିଆଯାଇପାରେ । ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ନାଁ ରେସରେ ରହିଛି । ବିଜେଡିର ହେଭିଓ୍ବେଟ୍ ସୁଶାନ୍ତ ସିଂଙ୍କୁ ହରାଇଥିଲେ ଇରାଶିଷ । ସେହିପରି ବିଜେଡିରୁ ଆସିଥିବା କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ନାଁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି । ବିଜେପିରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଆକାଶ ପୂର୍ବରୁ ଥରେ ବିଜେଡିରୁ ମଧ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି ହେଭିଓ୍ବେଟ୍ ବବି ଦାସଙ୍କ ମାଆ ସଂଧ୍ୟାରାଣୀ ଦାସଙ୍କୁ ନିର୍ବାଚନରେ ହରାଇଥିଲେ ଆକାଶ ଦାସନାୟକ । ମନ୍ତ୍ରିମଣ୍ଡଳରେ ଅଧିକ ମହିଳାଙ୍କୁ ସାମିଲ କରାଯାଇପାରେ । ବିଜେଡିରୁ ଆସିଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁଙ୍କ ନାଁ ଚର୍ଚ୍ଚାରେ ରହିଛି ।

ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ଜଣ ମନ୍ତ୍ରୀ ହୋଇପାରିବେ । ତେବେ ଗତ ବର୍ଷକ ମଧ୍ୟରେ ୬ମନ୍ତ୍ରୀ ପଦ ଖାଲି ପଡିଛି । ତେବେ ପ୍ରଦର୍ଶନ ଭିତ୍ତିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ୩ରୁ ୪ଜଣ ମନ୍ତ୍ରୀ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାସହ ଅନେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯାଇପାରେ । କେନ୍ଦ୍ରାପଡା, କଟକ, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ବର, କଳାହାଣ୍ଡି, କନ୍ଧମାଳ ପରି ୧୭ଟି ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ ମିଳିନି । ନୂଆ ମନ୍ତ୍ରୀପଦ ଦେବା ବେଳେ ଏହା ଉପରେ ନଜର ରଖାଯାଇପାରେ । ରାଜ୍ୟର ୨୧ ଲୋକସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ବ ଦିଆଯାଇପାରେ । ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପ୍ରଦର୍ଶନକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି । ତେଣୁ ଦକ୍ଷ ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯାଇପାରେ । ମହିଳା ଭାଗିଦାରୀ ବଢାଇବା ସହ ଯୁବ ଚେହେରାଙ୍କୁ ବି ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Comments are closed.