Latest Odisha News

BREAKING NEWS

ମନ୍ତ୍ରିମଣ୍ଡଳ ସଂପ୍ରସାରଣ; ସୁଶାନ୍ତ ସିଂ ବାଦ ପଡିବା ପରେ ତାତିଲେ ସମର୍ଥକ

ଭୁବନେଶ୍ୱର: ବିଜେଡିରେ କୁହୁଳିଲା ଅସନ୍ତୋଷ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ବାଦ ପଡିଥିବା ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ ଏବେ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ଗୋଟିଏ ପଦ । ଏହି ପଦ ପାଇଁ ପଶ୍ଚିମ ଓଡ଼ିଶାର ବରିଷ୍ଠ  ନେତା ତଥା ଭଟ୍ଟଲି ବିଧାୟକ ସୁଶାନ୍ତ ସିଂ ଆଶାୟୀ ଥିଲେ । ହେଲେ ବିଜେଡି ସୁପ୍ରିମୋ ପଶ୍ଚିମ ଓଡ଼ିଶାର ଜଣେ ନେତାଙ୍କୁ ତ ମନ୍ତ୍ରିମଣ୍ଡଳରେ ସାମିଲ କରାଇଲେ ହେଲେ ସୁଶାନ୍ତ ସିଂହଙ୍କୁ ନେଲେନି । ଏପରିକି ଆଜି ଶପଥ ଗ୍ରହଣ ଉତ୍ସବରେ ବି ସୁଶାନ୍ତଙ୍କୁ ବି ଦେଖିବାକୁ ମିଳି ନ ଥିଲା ।

BjdElectrycity

ସମସ୍ତ ଦୃଶ୍ୟପଟ୍ଟକୁ ନେଇ ସୁଶାନ୍ତ ଅସନ୍ତୁଷ୍ଟ ଥିବା ଅନୁମାନ କରାଯାଉଥିଲା । ମନ୍ତ୍ରୀ ପଦରୁ ବାଦ ପଡିବା ପରେ ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ପ୍ରତିକ୍ରିୟା ଏପରି ଅନୁମାନକୁ ସତ ସାବ୍ୟସ୍ତ କରିଛି । ମନ୍ତ୍ରିମଣ୍ଡଳରୁ ସୁଶାନ୍ତ ବାଦ ପଡିବା ପରେ  ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି, ‘ଏହାକୁ ନେଇ ବରଗଡ଼, ବଲାଙ୍ଗିର, ସମ୍ବଲପୁରରେ ଅସନ୍ତୋଷ ସୃଷ୍ଟି ହେଲାଣି  । ବିଜେପୁର ଭୋଟ୍ ବେଳେ ସୁଶାନ୍ତଙ୍କ କଥାକୁ ବିଶ୍ବାସ ରଖି ଦଳକୁ ଆସିଥିଲୁ । ଯଦି ନିଜେ ସୁଶାନ୍ତ ସୁରକ୍ଷିତ ନୁହଁନ୍ତି, ଆମେ କେଉଁ ଆଶାରେ ରହିବୁ ?’

ସେ ଆହୁରି କହିଛନ୍ତି, ‘ସୁଶାନ୍ତଙ୍କ ଭଳି ଜଣେ ଦୃଢ଼ ସଂଗଠକଙ୍କୁ ଅବହେଳା କଷ୍ଟ ଦେଇଛି । ଯଦି ଏମିତି ଅବହେଳା କରାଯାଏ, ଆମକୁ ଚିନ୍ତା କରିବାକୁ ପଡ଼ିବ ।’ ଏପରିକି ଦଳରୁ ସମୂହ ଇସ୍ତଫା କଥା ପ୍ରତି  ମଧ୍ୟ  ପରୋକ୍ଷ ସୂଚନା ଦେଇଛନ୍ତି ପ୍ରଦ୍ୟୁମ୍ନ ତ୍ରିପାଠୀ ।

ଏପଟେ ଭଟ୍ଟଲି ବିଧାୟକ ସୁଶାନ୍ତ ସିଂ ଏ ନେଇ ମୁହଁ ଖାେଲିଛନ୍ତି ।  ତାଙ୍କର ସମର୍ଥକମାନେ କିଏ କେଉଁଠି ଅସନ୍ତୁଷ୍ଟ ଅଛନ୍ତି ବା  କ’ଣ କହୁଛନ୍ତି ସେ ଜାଣି ନାହାନ୍ତି । ତେବେ ଏ ନେଇ ତାଙ୍କର କିଛି ଅସନ୍ତୋଷ ନାହିଁ । ଯେଉଁମାନେ ଅସନ୍ତୁଷ୍ଟ ମୋ ପାଖକୁ ଆସନ୍ତୁ । ମୁଁ ବୁଝେଇେଦବି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ଅଛି  ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ସୂଚନାଥାଉ କି, ପୂର୍ବରୁ ନବ ଦାସ ଓ ସୁଶାନ୍ତ ସିଂହଙ୍କ ମଧ୍ୟରେ ବ୍ୟାବସାୟିକ ବିବାଦ ଦେଖା ଦେଇଥିଲା । ସୁଶାନ୍ତ ପଶ୍ଚିମ ଓଡ଼ିଶାର ଜଣେ ଦକ୍ଷ ନେତା ଥିବା ସତ୍ତ୍ୱେ ଏବଂ ବିଜେପୁର ଉପନିର୍ବାଚନ ବିଜୟରେ ତାଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା ସତ୍ତ୍ୱେ ଝାରସୁୁଗୁଡା ଉପନିର୍ବାଚନରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା । ନବଙ୍କ ପରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ସେ ଆଶାବାଦୀ ଥିଲେ । ହେଲେ ଏଥରୁ ବି ସେ ବାଦ ପଡିଛନ୍ତି । ଏପରିକି ଆଜି ଶପଥ ଗ୍ରହଣ ଉତ୍ସବରେ ବି ତାଙ୍କୁ ଦେଖିବାକୁ ମିଳି ନ ଥିଲା ।

Leave A Reply

Your email address will not be published.