Latest Odisha News

କାଳବୈଶାଖୀ ପରେ ତତକ୍ଷଣାତ୍ ବିଦ୍ୟୁତ୍ ସରବରାହ ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କଟି ଯାଉଛି । ଗ୍ରାହକ ଫୋନ୍ କଲେ ଉତ୍ତର ଆସୁଛି… ଗଛ ପଡ଼ି ମେନ୍ ଲାଇନ୍ କଟି ଯାଇଛି । ୩ ଘଣ୍ଟା ଲାଗିବ । ଏଭଳି ସ୍ଥିତି ପ୍ରାୟ ସବୁ ସ୍ଥାନରେ ଉପୁଜିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ ସେବା ବ୍ୟାହାତ ହେବା ଲୋକଙ୍କୁ ବେଶ୍ ହଇରାଣ ହରକତ କରୁଛି ।

ଯାହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶକ୍ତି ବିଭାଗକୁ ଚିଠି ଲେଖିଛନ୍ତି । ଘଡ଼ଘଡ଼ି ବର୍ଷା ପରେ ତୁରନ୍ତ ବିଦ୍ୟୁତ୍ ସେବା ବ୍ୟବସ୍ଥିତ କରିବା ଲାଗି ବିଦ୍ୟୁତ୍ ବିତରଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି ।

କାଳବୈଶାଖିରେ ଗଛ ପଡ଼ିବା ଓ ଡାଳ ଭାଙ୍ଗିବା ପରେ ବିଦ୍ୟୁତ୍ ସେବା ଚାଲୁ କରିବା ଲାଗି କମ୍ପାନୀ ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଧିକ ସମୟ ନେଉଛନ୍ତି । ଯାହାକୁ ନେଇ ଏସଆରସି ଚିନ୍ତା ପ୍ରକଟ କରିବା ସହ ତୁରନ୍ତ ମରାମତି କରିବାକୁ କହିଛନ୍ତି ।

ଆବଶ୍ୟକ ସ୍ଥଳେ ବିଦ୍ୟୁତ୍ କମ୍ପାନୀଗୁଡ଼ିକ ଭାଙ୍ଗି ପଡ଼ିଥିବା ଗଛକୁ ହଟାଇବା ଲାଗି ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମର ସାହାଯ୍ୟ ନେବାକୁ କହିଛନ୍ତି ଏସଆରସି । ଏନେଇ ଖୁବଶୀଘ୍ର ସ୍ୱତନ୍ତ୍ର ରିଲିଫ୍ କମିଶନର ବିଭିନ୍ନ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ସହ ବୈଠକ କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.