ଭୁବନେଶ୍ବର: ଆଜି ଅର୍ଥାତ୍ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି ୯୦ ବର୍ଷ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା । ଆଜିର ଦିନରେ ରାଜ୍ୟର ମାନ୍ୟତା ପାଇଥିଲା ଉତ୍କଳ । ଏହି ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ୍ ମାସ ୧ ତାରିଖ ଦିନ ଉତ୍କଳ ଦିବସ ପାଳନ କରାଯାଇଥାଏ ।
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ତିନି ଦଶନ୍ଧି ଧରି ଲାଗିରହିଥିଲା ବିପ୍ଳବ । ପୂର୍ବରୁ ଉତ୍କଳ ଖଣ୍ତ ବିଖଣ୍ତିତ ହୋଇ ଅନ୍ୟ ରାଜ୍ୟ ସହ ମିଶିକରି ଥିଲା । ରାଜ୍ୟର ପଶ୍ଚିମ ଭାଗ ଅର୍ଥାତ୍ ଆଜିର ପଶ୍ଚିମ ଓଡ଼ିଶା ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିଲା, ଉତ୍ତର ଓଡ଼ିଶା ବଙ୍ଗ ପ୍ରଦେଶରେ ସାମିଲ ଥିଲା । ସେହିପରି କିଛି ଅଂଶ ବିହାର ଏବଂ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହିଥିଲା। ପ୍ରଥମେ ଓଡ଼ିଶା ରାଜ୍ୟ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନଃବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା ।
ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ମତନ୍ତ୍ର ପ୍ରଦେଶ ଗଠନ ପାଇଁ ମଧୁସୂଦନ ଦାଶ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ଏହି ବୀରପୁତ୍ରଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ।
ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରିବେ ଓଡ଼ିଶା ଦିବସ । ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଆଜି ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯିବ । ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ୧୪ ଦିନ ବ୍ୟାପୀ ଏହି ଦିବସ ପାଳନ କରିବେ ।