Latest Odisha News

ଆଜି ଭାବର ତିହାର ନୂଆଁଖାଇ, ଡାଲଖାଇ ତାଳରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ରଜା ପର୍ବ ନୂଆଁଖାଇ । ସମର୍ପଣର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । ରାଗ ରୁଷା ଭୁଲି ଏକାତର ପର୍ବ ପାଳୁଛନ୍ତି ପଶ୍ଚିମ ଓଡିଶାବାସୀ । ଚାଷ ଚାଷୀ ଓ ପ୍ରକୃତିର ପର୍ବ ନୂଆଁଖାଇ । ଲଗ୍ନ ଅନୁସାରେ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା ସମଲେଶ୍ବରୀଙ୍କୁ ନବାନ୍ନ ଲାଗି ହେବ । ମାଙ୍କ ରୀତିନୀତି ପରେ ସ୍ବତନ୍ତ୍ର ପାଟ ଶାଢ଼ୀ ଲାଗି ହେବ । ନବାନ୍ନ ଅର୍ପଣ ପରେ ଘରେ ଘରେ ସମସ୍ତେ ନୂଆ ଖାଇବେ । ପଶ୍ଚିମ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ ଏହି ଗଣପର୍ବ । ଏନେଇ ଉଠୁଛି ପଡୁଛି ସମଗ୍ର ପଶ୍ଚିମ ଓଡିଶା । ଘରେଘରେ ଉତ୍ସବ ଆଉ ଆନନ୍ଦ । ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ବରୀ, ବଲାଙ୍ଗୀର ଇଷ୍ଟଦେବୀ ମା ପାଟଣେଶ୍ବରୀ, ସୋନପୁରର ଇଷ୍ଟଦେବୀ ମା ସୁରେଶ୍ବରୀ, କଳାହାଣ୍ଡି ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ଆରଧନା ପରେ ନବାନ୍ନ ପାଇବେ ପଶ୍ଚିମ ଓଡ଼ିଶାବାସୀ ।

ବିଶେଷ କରି ଗଣପର୍ବ ନୂଆଁଖାଇରେ ‘ଡାଲଖାଇ’ର ଚାହିଦା ବହୁତ ବଢ଼ିଯାଏ। ଏହି ଗୀତର ତାଳେ ତାଳେ ସମସ୍ତେ ପାଦରେ ପାଦ ମିଶାଇ ନାଚିଥାନ୍ତି। ଏହି ଲୋକନୃତ୍ୟ ଓଡ଼ିଶାର ପଶ୍ଚିମ ଅଞ୍ଚଳର ଜିଲ୍ଲାମାନଙ୍କରେ ବେଶ ପ୍ରସିଦ୍ଧ। ଡାଲଖାଇର ପ୍ରତ୍ୟେକ ପଦର ଆରମ୍ଭ ଓ ଶେଷରେ ଏହି ଶବ୍ଦର ପ୍ରୟୋଗ ହୋଇଥାଏ। ଗୀତରେ ଏହି ଶବ୍ଦକୁ ଜଣେ ବାନ୍ଧବୀଙ୍କ ଉଦ୍ଦେଶ୍ୟରେ ବାରମ୍ବାର କୁହାଯାଇଥାଏ।ଏହି ଗୀତରେ ମୁଖ୍ୟତଃ ରାଧାକୃଷ୍ଣଙ୍କ ପ୍ରେମ କାହାଣୀ, ରାମାୟଣ ଓ ମହାଭାରତ ଆଦି ବିଷୟକୁ ନେଇ ନୃତ୍ୟ ପରିବେଷଣ ହୋଇଥାଏ।

କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଖୁବ ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଛି । ଖାଲି ପଶ୍ଚିମ ଓଡ଼ିଶା ନୁହେଁ ବାହାର ରାଜ୍ୟରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି । ନୂଆ ଚାଉଳରୁ ପ୍ରସ୍ତୁତ ଖିରୀ, ପିଠା ଏବଂ ବିଭିନ୍ନ ପନିପରିବାରେ ପ୍ରସ୍ତୁତ ବ୍ୟଞ୍ଜନ, ବାଉଁଶ କରଡିରେ ତିଆରି ଆମ୍ବୁଲ ଖଟା ଆଦି ଅନେକ ଖାଦ୍ୟର ସମ୍ଭାରକୁ ଶାଳପତ୍ରରେ ତିଆରି ଖଲି ଓ ଦନାରେ ପରଷା ଯାଏ । ଓଡ଼ିଶାରେ ଏହି ପର୍ବ ନୂଆଁଖାଇ ଅଧିକ ପରିଚିତ ହୋଇଛି ।

Comments are closed.