Latest Odisha News

ମହାନଦୀ ପ୍ରସଙ୍ଗରେ ଆଜି ଓଡିଶା ଛତିଶଗଡ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର: ମହାନଦୀରେ ବନ୍ୟା ପରେ ଦୁଇ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଇଁ ପରସ୍ପରକୁ ଦୋଷ ଲଦୁଛନ୍ତି। ଏହାରି ଭିତରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ବୈଠକ କରିବେ ବୋଲି ସୂଚନା ମିଳିଛି। ଆଜି ଅପରାହ୍ନ ୪ଟାରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିବେ ବୋଲି ସୂଚନା ରହିଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପ୍ରସଙ୍ଗରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସମୀକ୍ଷା କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକ କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି।

ଓଡ଼ିଶା ଏବଂ ଛତିଶଗଡରେ ଏବେ ବର୍ଷା ନାହିଁ। ପାଗ ଖୁଖିଲା ରହିଛି। ଯାହାକି ଦୁଇ ରାଜ୍ୟ ପାଇଁ ଆଶ୍ୱସ୍ତିକର କଥା। ହେଲେ ଏବେ ମହନଦୀ ଏବଂ ଶାଖା ନଦୀରେ ପାଣି ବିପଦ ସଙ୍କେତ ଉପରେ ଗତି କରୁଛି। ତେଣୁ ବନ୍ୟା ଆଶଙ୍କା ରହିଛି।

ମହାନଦୀର ଉପରମୁଣ୍ଡରେ ଛତିଶଗଡର କଲମା ବ୍ୟାରେଜ ହୋଇଛି। ଲଗାଣ ବର୍ଷା ପାଇଁ ଛତିଶଗଡର ମହାନଦୀ ଅଞ୍ଚଳରେ ଥିବା ବେସିନରେ ପାଣି ଭର୍ତ୍ତି ହୋଇଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ତେଣୁ ବିପଦ ଟାଳିବାକୁ ହୀରାକୁଦରେ ଥିବା ଗେଟକୁ ଖୋଲିବାକୁ ଛତିଶଗଡ ସରକାର ଓଡିଶା ସରକାରକୁ କହିଥିଲେ। କିନ୍ତୁ ତଳମୁଣ୍ଡରେ ଥିବାରୁ ଗେଟ୍ ଖୋଲିଦେଲେ ଓଡ଼ିଶାରେ ବନ୍ୟା ଆଶଙ୍କା ବଢଯିବ। ତେଣୁ ଏହି ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗିଥିଲା। ହୀରାକୁଦରେ କିଛି ଗେଟ୍ ଖୋଲିବା ପରେ ମଧ୍ୟ ଛତିଶଗଡରେ ବନ୍ୟା ଆଶଙ୍କା ଟଳିନଥିଲା। ତେଣୁ ବନ୍ୟା ପାଇଁ ଓଡ଼ିଶାକୁ ଦାୟୀ କରିଛି ଛତିଶଗଡ। ଅପରପକ୍ଷରେ ଓଡିଶାର ବିଜେପି ଏବଂ କଂଗ୍ରେସ କହିଛି ଖରା ଦିନେ ଯେତେବେଳେ ଛତିଶଗଡକୁ ଗେଟ୍ ଖୋଲି ପାଣି ଛାଡିବାକୁ କୁହାଯାଏ ସେ ପାଣି ଛାଡେ ନାହିଁ। ତେଣୁ ଓଡିଶାରେ ଚାଷ କାମ ପ୍ରଭାବିତ ହୁଏ।

ଏପରି ସ୍ଥିତିରେ  ଆଜି ଦୁଇ ରାଜ୍ୟର ଦୁଇ ମୁଖ୍ୟା ଶାସନ ସଚିବ ଭିଡିଓ କନଫରେନସିଂ ଜରିଆରେ ବୈଠକ ହେବାକୁ ଯାଉଛି। ଦୁଇ ରାଜ୍ୟର ବିବାଦ କିନ୍ତୁ ଟ୍ରିବ୍ୟୁନାଲରେ ରହିଛି।

Leave A Reply

Your email address will not be published.