Latest Odisha News

BREAKING NEWS

ବନ୍ୟା କ୍ଷୟକ୍ଷତି ସମୀକ୍ଷା: ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩୩% କିମ୍ବା ଊର୍ଦ୍ଧ୍ୱ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ମିଳିବ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା ୮୫୦୦ ଟଙ୍କା, ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ମିଳିବ। ସେହିପରି ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨, ୫୦୦ ଟଙ୍କା ମିଳିବ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବାକୁ ମିଳିବ ଆର୍ଥିକ ସହାୟତା। କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା ପନିପରିବା ମିନି କିଟ୍‌ ମଧ୍ୟ ମିଳିବ। ବନ୍ୟା ପରବର୍ତ୍ତୀ ରୋଗ ପୋକ ଜନିତ କ୍ଷତିଗ୍ରସ୍ତ ପାଇଁ ୭୫% ସବସିଡି ମିଳିବ। କ୍ଷତିଗ୍ରସ୍ତ ଉଠା ଜଳସେଚନ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ପାଇଁ ସହାୟତା ମିଳିବ। ପୋଖରୀ, ଡଙ୍ଗା ଓ ଜାଲ ନଷ୍ଟ ହୋଇଥିଲେ ମିଳିବ ଆର୍ଥିକ ସହାୟତା। ଇଚ୍ଛୁକ ଚାଷୀଙ୍କ ସ୍ବଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ କୃଷି ଋଣରେ ପରିବର୍ତ୍ତନ ହେବ।

ଏହା ସହିତ ହସ୍ତଶିଳ୍ପ କ୍ଷତିଗ୍ରସ୍ତ ପାଇଁ ୫ହଜାର ଆର୍ଥିକ ସହାୟତା ମିଳିବ। ସେହିପରି ବାସନକୁସନ ଓ ପୋଷାକ ବାବଦକୁ ଅର୍ଥ ଯୋଗାଇ ଦେବେ ସରକାର। ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ ଚାଉଳ ଯୋଗାଣ ଜାରି ରହିବ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ୟାକେଜ ଅର୍ଥ ବଢ଼ିବ। ଗ୍ରାଉଣ୍ଡ ସର୍ଭେର ଗୁରୁତ୍ୱ ଅଧିକ ଥିବାରୁ ବନ୍ୟାଞ୍ଚଳ ବୁଲିଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.