Latest Odisha News

ଓଡ଼ିଶାର ରାଜବୀର ପାଇଁ ଚିକିତ୍ସା ସହାୟତା ମାଗିଲେ ସୋନୁ ସୁଦ

ମୁମ୍ବାଇ: କନ୍ଧମାଳର କୁନି ପୁଅ ରାଜବୀର ପାଇଁ ସହାୟତା ମାଗିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ ସହାୟତା କରିବାକୁ ସେ ଅପିଲ୍ କରିଛନ୍ତି । ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଇଞ୍ଜେକସନ୍ ଦରକାର । ଯାହା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ ଅସମ୍ଭବ । ଏହାପରେ ମୁମ୍ବାଇରେ ସୋନୁ ସୁଦଙ୍କ ସହାୟତା ଲୋଡ଼ିଛନ୍ତି ରାଜବୀରଙ୍କ ପରିବାର ।

ସେମାନଙ୍କ ପାଖରୁ ସବୁ କଥା ଶୁଣିଲା ପରେ ୧୬ କୋଟିର ଇଞ୍ଜେକ୍ସନ ପାଇଁ ସାହାଯ୍ୟ କରିବାକୁ ସୋନୁ ସୁଦ୍ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ରାଜବୀର ଚିକିତ୍ସା ପାଇଁ ସାହାଯ୍ୟ କରିବେ ବୋଲି ସୋନୁ ପ୍ରତିଶ୍ରୁତି ବି ଦେଇଛନ୍ତି । ରାଜବୀର ସ୍ପାଇନାଲ୍‌ମସ୍କୁଲାର ଆଟ୍ରୋଫି ଟାଇପ୍‌-୨ ନାମକ ଏକ ଦୁରାରୋଗ୍ୟରେ ପୀଡ଼ିତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗଞ୍ଜୁଗୁଡ଼ା ପଞ୍ଚାୟତ ଆମ୍ବପଡ଼ା ଗାଁର କୁଳମଣି ରଣା ଓ ତମଲିକା ଦାସଙ୍କ ଏକମାତ୍ର ପୁଅ ରାଜବୀର । ଜନ୍ମହେବାର ୬ ମାସ ପର୍ଯ୍ୟନ୍ତ ସେ ସୁସ୍ଥ ଓ ସ୍ୱାଭାବିକ ଥିଲା । କିଛିଦିନ ପରେ ତାର ଗୋଡ଼, ହାତ, ପିଠି ଓ ହାଡ଼ ନରମ ହେବାରେ ଲାଗିଲା । ପରୀକ୍ଷା ନିରୀକ୍ଷା ପରେ ଦୁରାରୋଗ୍ୟ ସମ୍ପର୍କରେ ଜଣା ପଡ଼ିଥିଲା ।

ଏହି ରୋଗର ଚିକିତ୍ସା ଆମେରିକାରେ ହେଉଥିବା ବେଳେ ଗୋଟିଏ ଇଞ୍ଜେକ୍ସନ୍‌ର ଦାମ୍ ୧୬ କୋଟି ଟଙ୍କା । ବେଙ୍ଗାଲୁରୁର ବାପଟିଷ୍ଟ ଡାକ୍ତରଖାନାରେ ରାଜବୀର ଚିକିତ୍ସା ଚାଲିଛି । ଡାକ୍ତର କହିଛନ୍ତି, ୪ ମାସ ଭିତରେ ଜୀବନ ରକ୍ଷକ ଇଞ୍ଜେକସନ୍ ରାଜବୀରଙ୍କୁ ଦେବାକୁ ପଡ଼ିବ । ଏତେଗୁଡ଼ାଏ ଟଙ୍କା ଯୋଗାଡ଼ କରିବେ କେଉଁଠୁ ସେଚିନ୍ତାରେ ପରିବାର ଅଛନ୍ତି । ସହାୟତା ପାଇଁ ଆକୁଳ ନିବେଦନ କରୁଛନ୍ତି । କେହି ବଦାନ୍ୟ ବ୍ୟକ୍ତି ଚାହିଁଲେ ରାଜବୀରଙ୍କ ଚିକିତ୍ସା ପାଇଁ ସହାୟତା କରିପାରିବେ ।

Leave A Reply

Your email address will not be published.