ଭୁବନେଶ୍ୱର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି।
ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣ ମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ ଚିଫ ଡେଭଲପମେଣ୍ଟ ଅଫିସର ଏବଂ ବ୍ଲକ୍ ସ୍ତରରେ ବିଡିଓ’ଙ୍କର ଗୁରୁଦାୟିତ୍ୱ ରହିଛି।
ସେ ଆହୁରି ମଧ୍ୟ କହିଥିଲେ ଯେ ଆପଣମାନେ ନିଜକୁ ଜନସେବକ ଭାବି କାମ କରନ୍ତୁ। ଆପଣ ନିଯୁକ୍ତି ପାଇଛନ୍ତି ଲୋକଙ୍କ ସେବା କରିବା ପାଇଁ, ତେଣୁ ସେବା ମନୋଭାବ ନେଇ ନିଷ୍ଠାର ସହ କାମ କରିବା ଆପଣମାନଙ୍କ ଦାୟିତ୍ୱ । ଦୁର୍ନୀତି କିମ୍ବା ଦାୟିତ୍ୱରେ ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନାହିଁ।
Comments are closed.