ଭୁବନେଶ୍ୱର: ଆଜି ଓଡ଼ିଶା ଦିବସ। ବରପୁତ୍ରମାନଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ।
ସାରା ଓଡ଼ିଶାରେ ୩ କୋଟି ୫୨ ଲକ୍ଷ ଲୋକଙ୍କୁ ସାମିଲ କରାଯିବ। ଏହାଦ୍ୱାରା ଦେଶ ସାରା ୨୯ ହଜାର ମେଡିକାଲରେ ସ୍ୱାସ୍ଥ୍ୟ ସେବା ମିଳିବ। ସୂଚନା ଅନୁସାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାରରୁ ଅଧିକ ପରିବାର ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ। ଯୋଜନାର ହିତାଧିକାରୀମାନଙ୍କୁ ଗୋଟିଏ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବ।
ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ବୟସରୁ ଅଧିକ ବୟସର ପ୍ରାୟ ୨୩ ଲକ୍ଷ ୧୩ ହଜାର ହିତାଧିକାରୀମାନେ ଅଲଗା ଭାବେ ଏକ ସ୍ୱତନ୍ତ୍ର କାର୍ଡ ପାଇବେ। ଏହି ଦୁଇ ଯୋଜନାର ହିତାଧିକାରୀମାନେ ଦେଶର ୨୯ ହଜାରରୁ ଅଧିକ ସରକାରୀ ଡାକ୍ତରଖାନା ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.