Latest Odisha News

BREAKING NEWS

ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ଫକିର ମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲ’

ବାଲେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱରରେ ଫକିର ମୋହନ ମେଡ଼ିକାଲ କଲେଜ ମେଡ଼ିକାଲ ଓ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଦ୍ୱାରା ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉଲ୍ଲେଖନୀୟ ଅଗ୍ରଗତି କରିପାରିବ ।

ବ୍ୟାସକବି ଫକିରମୋହନଙ୍କୁ ସେନାପତିଙ୍କପାଇୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଫକୀରମୋହନ ଓଡିଆ ଭାଷା ଓ ସାହିତ୍ୟର ତ୍ରାଣକର୍ତ୍ତା । ସଙ୍କଟ ସମୟରେ ସେ ତାଙ୍କ ବଳିଷ୍ଠ ଲେଖନୀ ମାଧ୍ୟମରେ ଓଡ଼ିଆ ସାହିତ୍ୟର ଗୌରବକୁ ପୁନରୁଦ୍ଧାର କରିଥିଲେ । ସେ ଥିଲେ ଶିକ୍ଷା ଓ ବ୍ୟକ୍ତି ସ୍ୱତନ୍ତ୍ରତାର ବାର୍ତ୍ତାବହ । ତାଙ୍କ ନାମରେ ଏହି ଶିକ୍ଷାନୁଷ୍ଠାନକୁ ଲୋକାର୍ପିତ କରି ସେ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଥମ ମହିଳା କବି ତଥା ଡ଼ାକ୍ତର କୁନ୍ତଳା କୁମାରୀ ସାବତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଆମର ଲକ୍ଷ୍ୟ । ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଓ ଯୋଜନା କରିଛନ୍ତି । ଏହା ସହିତ ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ରାଜ୍ୟବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିପାରିବ ।

୨୦୦୦ ମସିହାରେ ରାଜ୍ୟର ସମୁଦାୟ ଏମ.ବି.ବି.ଏସ ଆସନ ସଂଖ୍ୟା ୩୨୧ ଥିବାବେଳେ, ବର୍ତ୍ତମାନ ରାଜ୍ୟର ଏହି ସଂଖ୍ୟା ୧୦୫୦ ଟପିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏହି ଅବସରରେ ନିଜ ବୃତ୍ତିର ଉଚ୍ଚ ଆଦର୍ଶକୁ ବଜାୟ ରଖି ଗରିବ ଲୋକମାନଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହିତ ସେବା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ, ଫକିରମୋହନ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ୧୯୮.୫୧ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ୧୩୩.୨୬ କୋଟି ଟଙ୍କା ଓ କେନ୍ଦ୍ର ସରକାର ୬୫.୨୫କୋଟି ଟଙ୍କା ଯୋଗାଇଦେଇଛନ୍ତି । ସେହିପରି ହସ୍ପିଟାଲ ନିର୍ମାଣ ପାଇଁ ୧୧୫କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ୯୭ କୋଟି ଓ କେନ୍ଦ୍ର ସରକାରକ ୧୮ କୋଟି ଟଙ୍କା ଖର୍ଚ୍ଚ କରିବେ । ମେଡ଼ିକାଲ କଲେଜ ପାଇଁ ରାଜ୍ୟ ସରକାର ୨୨.୬୮ ଏକର ମଧ୍ୟ ଯୋଗାଇ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସାଂସଦ ରବୀନ୍ଦ୍ର ଜେନା, ଜିଲ୍ଲାର ସମସ୍ତ ବିଧାୟକଗଣ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.