Latest Odisha News

BREAKING NEWS

ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଜୟପୁର ହାଇସ୍କୁଲର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଆଜି ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ରୂପା ତାରକସିର ଏକ ଉପହାର ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ ଓମ୍ ପ୍ରକାଶ ମିଶ୍ରଙ୍କର ଶିକ୍ଷାଦାନରେ ପ୍ରାୟ ୨୦ ବର୍ଷର ଅଭିଜ୍ଞତା ରହିଛି । ଏଥିସହିତ ବର୍ତ୍ତମାନ ଜୟପୁର ହାଇସ୍କୁଲରେ ଗଣିତ ଓ ବିଜ୍ଞାନ ବିଷୟରେ ଶିକ୍ଷା ଦାନ କରୁଥିବା ଶ୍ରୀ ମିଶ୍ରଙ୍କର ସମ୍ପୃକ୍ତ ବିଷୟକୁ ଛାତ୍ରଛାତ୍ରୀମାନଙ୍କୁ ସରଳ ଉପାୟରେ ବୁଝାଇବା ନେଇ ଉଲ୍ଲେଖନୀୟ ଅବଦାନ ରହିଛି ।

୨୦୧୫ରେ ସେ ‘ଏକ୍ସପରିମେଣ୍ଟ୍’ ନାମକ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଏହାସହିତ ସେ କୋରାପୁଟ ପରି ପଛୁଆ ଅଞ୍ଚଳର ପିଲାମାନେ କିପରି ଜାତୀୟ ମେରିଟ୍ ସ୍କଲାରସିପ୍ ପାଇପାରିବେ, ସେଥିପାଇଁ ଏକ ମଡ୍ୟୁଲ ମଧ୍ୟ ତିଆରି କରିଛନ୍ତି । ଅନ୍ୟପକ୍ଷରେ ସେ ବିଭିନ୍ନ ଜାତୀୟ, ଅର୍ନ୍ତଜାତୀୟ ଜର୍ଣ୍ଣାଲରେ ମଧ୍ୟ ତାଙ୍କ ଗବେଷଣାତ୍ମକ ରଚନା ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ସ୍କୁଲର ଉନ୍ନତି ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିବା ସହ ମୋର ସ୍କୁଲ ଅଭିଯାନ ଆରମ୍ଭ ହେବା ପରେ ସେ ଏଥିରେ ସକ୍ରୀୟ ଭାବେ କାର୍ଯ୍ୟ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଶିକ୍ଷାଦାନରେ ଉତ୍କର୍ଷ ପାଇଁ ସେ ୨୦୧୭ରେ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.