Latest Odisha News

୨୮୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶକ୍ତି, ଓଡିଶା ଖଣି ନିଗମ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ୨୮୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏଥିରେ ଶକ୍ତି ବିଭାଗରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶକଙ୍କ ଅଧିନରେ ୩୧ ଜଣ ଜୁନିୟର କ୍ଲର୍କ କମ ଟାଇପିଷ୍ଟ, ଆୟୁଷ ନିର୍ଦ୍ଦେଶକଙ୍କ ଅଧିନରେ ୧୯ ଜଣ ଆୟୁର୍ବେଦ ଅଧ୍ୟାପକ ଓ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ୫୪ ଜଣ କନିଷ୍ଠ ସହାୟକ ନିଯୁକ୍ତି ପାଇଛନ୍ତି ଏବଂ ସେହିପରି ଓଡିଶା ଖଣି ନିଗମରେ କନିଷ୍ଠ ଯନ୍ତ୍ରୀ ମେକାନିକାଲ ୧୯, କନିଷ୍ଠ ଯନ୍ତ୍ରୀ ଇଲେକ୍ଟ୍ରିକାଲ ୧୪, କନିଷ୍ଠ ଯନ୍ତ୍ରୀ ସିଭିଲ ୧୬, କନିଷ୍ଠ ଫାର୍ମାସିଷ୍ଟ ୯ ଏବଂ ଇଲେକ୍ଟ୍ରିସିଆନ ୩୦ ଜଣଙ୍କୁ ନିଯୁକ୍ତି ମିଳିଛି।

ଲୋକସେବା ଭବନରେ ଆୟୋଜିତ ଏକ ନିଯୁକ୍ତି ମେଳାରେ ନବ ନିଯୁକ୍ତଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ତାଙ୍କ ସରକାର ପ୍ରାଥମିକତା ଦେଇଛନ୍ତି।

ନବ ନିଯୁକ୍ତ ଯୁବକମାନଙ୍କୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ ଏହି ପ୍ରକ୍ରିୟାର ଅଂଶ ହେବା ପାଇଁ ସେମାନଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି।

ଆମ ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ଯୋଜନାଗୁଡିକ କିପରି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ଓ ଏହାର ସଫଳ ରୂପାୟନ ହୋଇପାରିବ ସେଥିରେ ଆପଣମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

ଆଜି ଆପଣ ମାନେ ଯେଉଁ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି ତାହା କେବଳ ଏକ ସରକାରୀ ଚାକିରୀ ନୁହେଁ ବରଂ ଜନସାଧାରଣଙ୍କ ସହିତ ପ୍ରତ୍ୟକ୍ଷ ଭାବେ କାମ କରିବାର ଏକ ସୁବର୍ଣ୍ଣ ସୁଯୋଗ। ମାନବିକତା ଧର୍ମରେ ବ୍ରତୀ ହୁଅନ୍ତୁ। ନିଜକୁ ଜଣେ ଭଲ ମଣିଷ ଭାବରେ ଗଢ଼ିବା ଦିଗରେ ପ୍ରଯତ୍ନ ହୁଅନ୍ତୁ। ରାଷ୍ଟ୍ର ନିର୍ମାଣ ଓ ଜନସେବାରେ ଆପଣମାନେ ଜଡ଼ିତ ରହି ଦେଶ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ସର୍ବଦା ତତ୍ପର ରୁହନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.