Women Entrepreneurship Platform: ମହିଳାଙ୍କୁ ଉଦ୍ୟୋଗପତି କରିବାକୁ ବଡ଼ ପଦକ୍ଷେପ, “ଏବେ କେବଳ ଚାକିରି ଖୋଜିବେନି, ସୃଷ୍ଟି କରିବେ ଚାକିରି”
ଭୁବନେଶ୍ୱର: ଓଡ଼ିଶାରେ ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ଆହୁରି ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ‘ୱିମେନ୍ ଅନ୍ତ୍ରପନରସିପ୍ ପ୍ଲାଟଫର୍ମ (WEP) ଓଡ଼ିଶା ଚାପ୍ଟର’ର ଶୁଭାରମ୍ଭ କରିଛନ୍ତି। ନୀତି ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ ଏହି ପ୍ଲାଟଫର୍ମ ରାଜ୍ୟର ମହିଳା ଉଦ୍ୟୋଗୀଙ୍କୁ ଏକ ଛାତ ତଳେ ସମସ୍ତ ସୁବିଧା ଯୋଗାଇବ।
ଭୁବନେଶ୍ୱରରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ଓ ଆନ୍ତର୍ଜାତୀୟ MSME ଦିବସ ଅବସରରେ ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟ୍ଫର୍ମ ‘ମହିଳା ଉଦ୍ୟମିତା ପ୍ଲାଟଫର୍ମ’ (Women Entrepreneurship Platform- Odisha Chapter) ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହା କେବଳ ଏକ ସରକାରୀ ପଦକ୍ଷେପ ନୁହେଁ, ବରଂ ମହିଳାଙ୍କ ଆର୍ଥିକ ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ଏକ ଜନଆନ୍ଦୋଳନ।
ସେ କହିଥିଲେ, “ଆମର ଲକ୍ଷ୍ୟ ହେଉଛି ଏଭଳି ଓଡ଼ିଶା ଗଢ଼ିବା, ଯେଉଁଠି ମହିଳାମାନେ କେବଳ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ନିଜେ ଚାକିରି ସୃଷ୍ଟି କରିବେ। ସେମାନେ କେବଳ ଉପଭୋକ୍ତା ନୁହେଁ, ବରଂ ଉତ୍ପାଦକ ଓ ବିକାଶର ନେତୃତ୍ୱ ନେବେ।”
ଏହି ଅବସରରେ WEP ପାଇଁ ଏକ ବର୍ଷର ଆକ୍ସନ ପ୍ଲାନ୍ ମଧ୍ୟ ଉନ୍ମୋଚନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ରାଜ୍ୟର ଏକ କୋଟିରୁ ଅଧିକ ମହିଳା ସଶକ୍ତ ହୋଇ ସ୍ୱାବଲମ୍ବୀ ହେବା ଦିଗରେ ଆଗେଇ ଚାଲିଛନ୍ତି। IIM ସମ୍ବଲପୁର, SBI ଏବଂ AI ଭଏସ୍ ବଟ୍ ସର୍ଭେ ଅନୁସାରେ, ଓଡ଼ିଶାରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ଉଦ୍ୟୋଗର ସଂଖ୍ୟା ୨୫ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତରେ ପହଞ୍ଚିଛି। ଏହାସହ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଜମାରାଶି ହାରାହାରି ୬,୮୮୭ ଟଙ୍କା ବୃଦ୍ଧି ପାଇଛି।
ତେବେ ଏହି ନୂତନ ପ୍ଲାଟଫର୍ମ ମାଧ୍ୟମରେ ମିଶନ ଶକ୍ତି, MSME ବିଭାଗ, ଷ୍ଟାର୍ଟଅପ୍ ଓଡ଼ିଶା, ବ୍ୟାଙ୍କ ଓ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ସ୍ଥାପନ କରାଯିବ। ମହିଳା ଉଦ୍ୟୋଗୀମାନେ ଏଠାରେ ଋଣ ସୁବିଧା, ବଜାର ସଂଯୋଗ, ମେଣ୍ଟରଶିପ୍ ଓ ଦକ୍ଷତା ବିକାଶ ଭଳି ସୁବିଧା ପାଇବେ। ଏହାସହ ହସ୍ତତନ୍ତ, ଦକ୍ଷତା ବିକାଶ, ହୋମଷ୍ଟେ ଓ ପ୍ରଯୁକ୍ତି କ୍ଷେତ୍ରରେ ଏକାଧିକ ନୂଆ ସହଭାଗିତା ଓ ଚୁକ୍ତିନାମା ଘୋଷଣା କରାଯାଇଛି।
ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ ୨୪.୧୮ କୋଟି ଟଙ୍କା ବ୍ୟୟରେ ରାଇସ୍ ମିଲିଂ କ୍ଲଷ୍ଟରର ଉଦ୍ଘାଟନ କରିଥିଲେ। ସେହିପରି ୧୭.୭ କୋଟି ଟଙ୍କା ବ୍ୟୟରେ ପାହାଳରେ ରସଗୋଲା କ୍ଲଷ୍ଟରର ଶୁଭାରମ୍ଭ କରାଯାଇଛି। ଏହା ଫଳରେ ଦୈନିକ ରସଗୋଲା ଉତ୍ପାଦନ କ୍ଷମତା ୭ ହଜାର କେଜିରୁ ବୃଦ୍ଧି ପାଇ ୧୧ ହଜାର କେଜିରେ ପହଞ୍ଚିବ।
ଏହାବ୍ୟତୀତ ୧୦ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁର (ଗଞ୍ଜାମ) ଓ କେସିଙ୍ଗା (କଳାହାଣ୍ଡି) ରେ ଦୁଇଟି ମଲ୍ଟି ପ୍ରଡକ୍ଟ MSME ପାର୍କର ଉଦ୍ଘାଟନ କରାଯାଇଛି। ଭବିଷ୍ୟତରେ ଇଞ୍ଜିନିୟରିଂ, ପ୍ରିଣ୍ଟିଂ-ପ୍ୟାକେଜିଂ ଓ କାଜୁ କ୍ଲଷ୍ଟର ସ୍ଥାପନ ସହ ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ MSME ପାର୍କ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ୪.୩୨ ଲକ୍ଷରୁ ଅଧିକ MSME ଉପକୃତ ହୋଇଛନ୍ତି। PMEGP ଯୋଜନାରେ ୪,୯୦୦ଟି ଉଦ୍ୟୋଗକୁ ୧୪୬ କୋଟି ଟଙ୍କା ସବସିଡି ମିଳିଥିବା ବେଳେ ଏଥିରେ ୪୨.୫ ପ୍ରତିଶତ ଲାଭାର୍ଥୀ ମହିଳା।
କାର୍ଯ୍ୟକ୍ରମରେ ଯୋଗଦେଇ ନୀତି ଆୟୋଗର ଉପାଧ୍ୟକ୍ଷ ଡ଼. ଅଶୋକ କୁମାର ଲାହିରୀ କହିଥିଲେ ଯେ, ଜାତୀୟ GDP ତୁଳନାରେ ଓଡ଼ିଶାର GSDP ଅଭିବୃଦ୍ଧି ହାର ଅଧିକ ରହିଛି ଏବଂ ରାଜ୍ୟ ଏବେ ଦେଶର ଏକ ‘ରାଇଜିଂ ଷ୍ଟାର୍’ ଭାବେ ଉଭା ହୋଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଏହି ପଦକ୍ଷେପ ମହିଳାଙ୍କ ପାଇଁ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ। MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଓଡ଼ିଶା-୨୦୩୬ ଲକ୍ଷ୍ୟ ହାସଲରେ ମହିଳା ଉଦ୍ୟୋଗୀମାନେ ନିର୍ଣ୍ଣାୟକ ଭୂମିକା ନେବେ।
