Latest Odisha News

ଯୁବପିଢିଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଳିତ ହୋଇଛି ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ। ଯୁବପିଢିଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷ କରିବାକୁ ଚାଲିଛି ଯୋଜନା। ଏହି ଅବସରରେ ଯୋଗଦେଇ ପ୍ରଥମ କୌଶଳ ଭବନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଆଗାମୀ ୨-୩ ବର୍ଷ ମଧ୍ୟରେ ଆମର ଯୁବପିଢି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ ଶିଳ୍ପର ଚାହିଦା ଅନୁଯାୟୀ ଯୋଗ୍ୟତା ହାସଲ କରି ନିଯୁକ୍ତି ପାଇପାରିବେ। ଆମର ଯୁବପିଢି ଓଡିଶାର ଭବିଷ୍ୟତ। ସେମାନଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍‌ଘାଟିତ ହୋଇଛି। ଆହୁରୀ ୯ ଟି କୌଶଳ କେନ୍ଦ୍ର ଖୋଲାଯିବ। ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ୧୦ଟି ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରାଯିବ। ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ‘ସି.ଏମ.- ଆସ୍ପାୟାର’(CM-ASPIRE) ଯୋଜନାର ଘୋଷଣା କରାଯାଇଛି। ସ୍ଥାନୀୟ ୱାର୍ଲ୍‌ଡ ସ୍କିଲ ସେଣ୍ଟର ଠାରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସେହିପରି ସ୍ଥାନୀୟ ଶିଳ୍ପର (Local Industries) ଆବଶ୍ୟକତାକୁ ପୂରଣ କରିବା ଦିଗରେ ସ୍ଥାନୀୟ ନିଯୁକ୍ତିର ଆବଶ୍ୟକତା ରହିଛି। ଏଥିପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟରେ ଜିଲ୍ଲାସ୍ତରରେ ‘ନୂଆ ଓଡିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି ବୋଲି ସେ କହିଥିଲେ। ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଚଳିତ ବର୍ଷ ଅନ୍ତରୀଣ ବଜେଟରେ ଦକ୍ଷତା ବିକାଶ ପାଇଁ ପ୍ରାୟ ୩୧ କୋଟି ଟଙ୍କା ଆବଣ୍ଟନ କରିଛୁ ଏବଂ ଆଗାମୀ ବର୍ଷ ଗୁଡିକରେ ଏହାକୁ ଆହୁରି ବୃଦ୍ଧି କରାଯିବ। ସରକାର ଏକ ସ୍ଲିଲ ଇକୋସିଷ୍ଟମ ସୃଷ୍ଟି କରିଛନ୍ତି ଏବଂ ଆମର ଯୁବପିଢ଼ି ଏହାର ସର୍ବୋତ୍ତମ ଉପଯୋଗ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.