Latest Odisha News

BREAKING NEWS

ରାଜ୍ୟସ୍ତରୀୟ ‘ସୁରଭି-୨୦୨୭’ଉଦଘାଟିତ: ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ପ୍ରୟାସ

ଭୁବନେଶ୍ୱର: ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୭’। ଭୁବନେଶ୍ୱରର ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷର ଥିମ୍ ରହିଛି “ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା”। ଏହି ତିନିଦିନିଆ ରାଜ୍ୟସ୍ତରୀୟ ମହୋତ୍ସବ ନଭେମ୍ବର ୧୨ ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି।

ଏହି ଅବସରରେ ସୁରଭି ମହୋତ୍ସବର ମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସୁରଭି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ଭରିବାର ଏକ ମାଧ୍ୟମ । ପିଲାମାନଙ୍କ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏହା ଏକ ପ୍ରୟାସ। ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦଘାଟନ କରିବା ସହ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ୨୦୨୪ ଓ ୨୦୨୫ ବର୍ଷ ପାଇଁ ମୋଟ ୩୭୫ ଜଣ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ସମ୍ମାନିତ କରାଯିବା ସହ ୧୯ କୋଟି ୫୬ ଲକ୍ଷ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ଏଥିସହ ୧୦ ଜଣଙ୍କୁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଓ ୪ ଜଣ ସିଏଚ୍‌ଏସ୍‌ଇ (CHSE) ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରେଣୀଗୃହ ପରିଚାଳନା ଓ ଶିକ୍ଷଣ ଦକ୍ଷତା ଆକଳନ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ‘ନିପୁଣ ଆପ୍’ ର ଲୋକାର୍ପଣ କରିବା ସହ ରାଜ୍ୟର ୮୦୭ଟି ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍‌ର ଶୁଭ ଉଦଘାଟନ କରିଛନ୍ତି । ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଓ ମାତୃଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ।

Leave A Reply

Your email address will not be published.