ଭୁବନେଶ୍ଵର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା) ପକ୍ଷରୁ ଆଜି କଳିଙ୍ଗ ନଗରରେ ଏହାର ନୂତନ ଅତ୍ୟାଧୁନିକ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି।
ରାଜ୍ୟର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ଇମ୍ଫାର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧିବଦ୍ଧ ଭାବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
୧୨୪.୨୬ ଏକରରେ ପରିବ୍ୟାପ୍ତ ଏହି କଳିଙ୍ଗ ନଗର କାରଖାନାରୁ ବାର୍ଷିକ ୧,୦୦,୦୦୦ ମେଟ୍ରିକ୍ ଟନ୍ ଫେରୋକ୍ରୋମ୍ ଉତ୍ପାଦନ ହେବ। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସିକ ସୁଦ୍ଧା ଏହି କାରଖାନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି କାରଖାନା ଚୌଦ୍ୱାର ଏବଂ ଥେରୁବାଲିଠାରେ ଥିବା ଇମ୍ଫାର ସମନ୍ୱିତ କାର୍ଯ୍ୟସ୍ଥଳୀଗୁଡ଼ିକର ପରିପୂରକ ହେବ ଏବଂ ଏହାର ମୋଟ ଉତ୍ପାଦନ କ୍ଷମତା ୩,୮୪,୦୦୦ ଟନ୍ କୁ ବୃଦ୍ଧି ପାଇବା ସହିତ ମୂଲ୍ୟ ଯୁକ୍ତ ଭାରତର ଅଗ୍ରଣୀ ଫେରୋକ୍ରୋମ୍ ଉତ୍ପାଦନକାରୀ ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବ।
ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏହି ପ୍ରକଳ୍ପର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛୁ। ଏହି ନୂତନ ପ୍ରକଳ୍ପ କେବଳ ରାଜ୍ୟର ଶିଳ୍ପ ମାନଚିତ୍ରକୁ ଉନ୍ନତ କରିବ ନାହିଁ ବରଂ ଦୀର୍ଘସ୍ଥାୟୀ ଏବଂ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଇମ୍ଫାର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।
ଫେରୋ ଆଲଏଜ୍ କ୍ଷେତ୍ରରେ ଅଗ୍ରଣୀ ଇମ୍ଫା ଜେଏସଡବ୍ଲ୍ୟୁ ଗ୍ରୀନ୍ ଏନର୍ଜି ସହ ମିଳିତ ଉଦ୍ୟମରେ କଳିଙ୍ଗ ନଗର କାରଖାନାରେ ସ୍ମେଲଟିଙ୍ଗ ପ୍ରକ୍ରିୟା ପାଇଁ ୧୧୦ ମେଗାୱାଟ୍ ହାଇବ୍ରିଡର ନବିକରଣୀୟ ବିଦ୍ୟୁତ ଶକ୍ତି ଯୋଗାଣ କରିବ। ଏହା କେବଳ ଇମ୍ଫାର ସବୁଜ ପରିବେଶ ସୃଷ୍ଟି ପାଇଁ ଉଦ୍ୟମକୁ ତ୍ୱରାନିତ କରିବା ସହିତ ଏକ ସବୁଜ ଭବିଷ୍ୟତ ନିର୍ମାଣ ଦିଗରେ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ୨୦୭୦ ସୁଦ୍ଧା ନେଟଶୂନ୍ୟ ନିର୍ଗମନ ହାସଲ କରିବାରେ ଭାରତର ଅଭିଯାନକୁ ସହାୟତା ମଧ୍ୟ କରିବ।
Comments are closed.