Latest Odisha News

କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ସହଯୋଗ କାମନା

ଭୁବନେଶ୍ୱର: ଦିଲ୍ଲୀର ଓଡ଼ିଶା ଭବନରେ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ ସହଯୋଗ କାମନା କଲେ। ବୈଠକରେ ଉପସ୍ଥିତ ଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଉଚ୍ଚ ପଦାଧିକାରୀ ମାନଙ୍କର ସହଯୋଗ କାମନା କରିଛନ୍ତି । ଗତକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶା କାଡ଼ର୍ ଅଧିକାରୀ ମାନଙ୍କ ଏକ ବୈଠକର ଆୟୋଜନ କରାଯାଇଥିଲା।

ନୀତି ଆୟୋଗର ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଯେଉଁ ସବୁ ପ୍ରସ୍ତାବ ରଖିଥିଲେ ସେସବୁ ତ୍ୱରିତ କର୍ଯ୍ୟନ୍ଵୟନ ପାଇଁ ସେ ଏହି ଅଧିକାରୀ ମାନଙ୍କ ସହଯୋଗ ଲୋଡି ଥିଲେ। ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ବୟର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶା ପ୍ରତି ସ୍ଵତନ୍ତ୍ର ଗୁରୁତ୍ଵ ଦିଆ ଯାଇଛି। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଏହି ସ୍ଵତନ୍ତ୍ର ଧ୍ୟାନ ଓଡ଼ିଶା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ନିଶ୍ଚୟ ତାର ଅଭିଳଷୀତ ଲକ୍ଷ୍ୟ ହାସଲ କରି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବଦାନ ଆଶା କରୁଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏଥିପାଇଁ କେବଳ ସରକାରୀ ପ୍ରୟାସ ଯଥେଷ୍ଟ ନୁହେଁ। ଏଥିପାଇଁ ସମାଜର ସବୁ ସ୍ତରରେ ସହଯୋଗ ଆବଶ୍ୟକ। ନବଗଠିତ ଓଡିଶା ସରକାର ଜୁଲାଇ ୨୫ ତାରିଖରେ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବରେ ସେ ଏହି ବଜେଟ୍ ଉପସ୍ଥାପନ କରିଥିଲେ ।

ଏହି ବଜେଟ୍ ପ୍ରସ୍ତୃତି ପ୍ରକ୍ରିୟାରେ ସମାଜର ବିଭିନ୍ନ ବର୍ଗ ଯଥା ଅର୍ଥନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ପ୍ରତିନିଧି ସାମିଲ ରହି ସେମାନଙ୍କର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ। ଏହା ସହିତ ଅନଲାଇନ ଜରିଆରେ ମଧ୍ୟ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ଵ ମତାମତ ଆସିଥିଲା। ଏହା ପୂର୍ବ ବର୍ଷ ଅପେକ୍ଷା ୬ ଗୁଣ ଅଧିକ। ତେଣୁ ଆମର ଏହି ବଜେଟରେ ଲୋକଙ୍କ ମତାମତ ପ୍ରତିଫଳିତ ହୋଇଛି । ଆମ ବଜେଟ୍ ବାସ୍ତବରେ ଲୋକଙ୍କ ବଜେଟ୍ ଭାବରେ ଜନ ସାଧାରଣଙ୍କ ସ୍ଵୀକୃତି ପାଇଛି। ଏହା ଏକ ଲୋକାଭିମୁଖୀ ବଜେଟ୍ ଉପସ୍ଥାପନା ହୋଇଛି। ସମାଜର ସବୁ ବର୍ଗର ଲୋକଙ୍କ ଦ୍ୱାରା ଏହା ଆଦୁତ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Comments are closed.