ଭୁବନେଶ୍ୱର : ୧୦ ବର୍ଷ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଇଟାଲୀ ଏବଂ ସାଉଦି ଆରବ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଭାଟିକାନ ସିଟିରେ ଥିବା କ୍ୟାଥଲିକ ଚର୍ଟ୍ଟର ମୁଖ୍ୟ ପୋପ ଫ୍ରାନସିସ୍କୋଙ୍କୁ ଭେଟିବେ ବୋଲି ସୂଚନା ରହିଛି। ପୋପଙ୍କୁ ନବୀନ ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ରହିଛି। ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି। ଯଦି ନବୀନ ପୋପଙ୍କୁ ଭେଟିବେ ତାହେଲେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବାରେ ସୁଯୋଗ ପାଇବେ।
ବିଗତ ୧୦ ବର୍ଷ ତଳେ ମେ ମାସରେ ନବୀନ ଲଣ୍ଡନ ଗସ୍ତରେ ଯାଇଥିଲେ। ଆଉ ଏହି ଗସ୍ତର ଫାଇଦା ନେଇ ତାଙ୍କୁ ସରକାରରୁ କ୍ଷମତାଚ୍ୟୁତ କରିବାକୁ ପ୍ରୟାସ ହୋଇଥିଲା। ଆଉ ଏହି ଅପରେସନର ନେତୃତ୍ୱ ନେଇଥିଲେ ତାଙ୍କର ଏକାନ୍ତ ଅନୁଗତ ତଥା ସ୍ୱର୍ଗତ ତତ୍କାଳୀନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର।
ମିଳିଥିବା ସୂଚନା ଅନୁଯାୟୀ, ନବୀନ ଏହି ଗସ୍ତ ସମୟରେ ବିଭିନ୍ନ ଉଦ୍ୟୋଗୀଙ୍କୁ ଭେଟିବେ। ଏଥିସହ ପ୍ରବାସୀ ଓଡିଆଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି। ଜୁନ ୨୮ରେ ସେ ୟୁଏଇରେ ଶିଳ୍ପପତି ଏବଂ ଅନ୍ୟମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ପୋପଙ୍କ ସହ ନବୀନଙ୍କ ଏହି ପ୍ରସ୍ତାବିତ ଭେଟଘାଟ ଭାବମୂର୍ତ୍ତିକୁ କିଛି ମାତ୍ରାରେ ଉପରକୁ ନେବାର ପ୍ରୟାସ ବୋଲି କୁହାଯାଇପାରେ। ଏଭଳି ହାଇପ୍ରୋଫାଇଲ୍ ବୈଠକରେ ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି କୁହାଯାଉଛି। ନବୀନ ୨୫ ବର୍ଷ ହେବ ରାଜନୈତିକ ନେତା ଭାବେ ରହିଛନ୍ତି । ଏହି ଅବସରରେ ପୋପଙ୍କୁ ଭେଟି ନବୀନ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ଭାବମୂର୍ତ୍ତିକୁ ବଢାଇବାକୁ ପ୍ରୟାସ କରୁଛନ୍ତି ବୋଲି କୁହାଯାଉଛି। ଯାହାକି ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରରେ ଆହୁର ବଢିବ।
ଉଲ୍ଲେଖଯୋଗ୍ୟ, ନବୀନଙ୍କ ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋପଙ୍କୁ ଭେଟିବାର ସୂଚନା ରହିଥିଲା। ମମତା ଇଟାଲୀ ଯିବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ସହ ମମତା ସରକାରର ବିବାଦ ପାଇଁ ମମତାଙ୍କ ଇଟାଲି ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେଇନଥିଲେ। କିନ୍ତୁ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ପୋପଙ୍କୁ ଭେଟିଥିଲେ।
Comments are closed.