ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଏହି ଅବସରରେ ସେ କହିଛନ୍ତି ଯେ, ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୋଲିସ ନିୟୋଜନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡିକୁ ସଠିକ ଭାବେ ପରିଚାଳନା କରି ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ଭାଗନେଇ ପାରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ବିଭିନ୍ନ ଜିଲ୍ଲାରେ ଡାଇରିଆ ପରିସ୍ଥିତି ଥିବା ଯୋଗୁ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ସମସ୍ତ ସମ୍ପୃକ୍ତ ବିଭାଗ ରଥଯାତ୍ରା ପୂର୍ବରୁ ସୁନାବେଶ ପର୍ଯ୍ୟନ୍ତ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିବା ଆବଶ୍ୟକ। କୌଣସି ସ୍ଥାନରେ ଯେପରି ଅସ୍ୱାସ୍ଥ୍ୟକର ଖାଦ୍ୟ କିମ୍ବା ପାଣି ବିକ୍ରି ନହୁଏ ତାହା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଏହା ସହିତ ସବୁ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଉପଲବ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସୁରୁଖୁରୁରେ ଏବଂ ଠିକ୍ ସମୟରେ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହଯୋଗ କାମନା କରିଥିଲେ।
Comments are closed.