Latest Odisha News

BREAKING NEWS

ରାଜଧାନୀରେ ବିକ୍ଷୋଭ ବେଳେ ହିଂସା: ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଧାନସଭା ଘେରାଓ ସମୟରେ ସାଙ୍ଘାତିକ ହିଂସାତ୍ମକ ଘଟଣା ଘଟିବା ପରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସ ଦାବି କରିଛି ଯେ ଏହି ହିଂସା ପାଇଁ ତାଙ୍କ ଦଳର କର୍ମୀ ନୁହଁନ୍ତି, ବରଂ ବାହାରୁ ଆସିଥିବା କିଛି ଉପଦ୍ରବୀ ଦାୟୀ। ଅନ୍ୟପକ୍ଷରେ, ବିଜେପି ଏହି ଘଟଣାକୁ କଂଗ୍ରେସର ବିଫଳ ରାଲିର ପରିଣାମ ବୋଲି ଅଭିଯୋଗ କରି କଡ଼ା ସମାଲୋଚନା କରିଛି।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି ଯେ, କଂଗ୍ରେସ କର୍ମୀମାନେ ବିକ୍ଷୋଭ ସ୍ଥଳରେ ତାଙ୍କ କର୍ତ୍ତବ୍ୟରତ ପୋଲିସ ଉପରେ ଆକ୍ରମଣ କରିଛନ୍ତି, ଯାହା ଗ୍ରହଣୀୟ ନୁହେଁ। ସମ୍ବଲପୁର ବିଧାୟକ ଆହୁରି ଅଭିଯୋଗ କରିଛନ୍ତି ଯେ, ମାତ୍ର ୫,୦୦୦ ଲୋକଙ୍କ ଉପସ୍ଥିତି ସହ କଂଗ୍ରେସର ଏହି ଆନ୍ଦୋଳନ ବିଫଳ ହୋଇଛି। ନିଜର ଉପସ୍ଥିତି ଜାହିର କରିବା ପାଇଁ କଂଗ୍ରେସ କର୍ମୀମାନେ ହିଂସାର ଆଶ୍ରୟ ନେଇଥିଲେ ବୋଲି ସେ ଦାବି କରିଛନ୍ତି।

ଅନ୍ୟପଟେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏହି ହିଂସା ପାଇଁ ପୋଲିସକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ସେମାନଙ୍କୁ ବଳପୂର୍ବକ ଅଟକାଇ ଆକ୍ରମଣ କରିଥିଲା। ପୋଲିସ ବିକ୍ଷୋଭକାରୀଙ୍କୁ ନିର୍ମମ ଭାବେ ମାଡ଼ମାରିଥିଲା ବୋଲି ଭକ୍ତ ଦାସ ଅଭିଯୋଗ କରିଛନ୍ତି। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ହିଂସାରେ କଂଗ୍ରେସ କର୍ମୀଙ୍କର କୌଣସି ଭୂମିକା ନାହିଁ। ମଞ୍ଚ ପଛପଟୁ ଆସିଥିବା କିଛି ବାହାର ଲୋକ ପୋଲିସ ଉପରେ ପଥର ଫିଙ୍ଗିଥିଲେ ବୋଲି ସେ କହିଛନ୍ତି। ଏହି ଘଟଣାକୁ କଂଗ୍ରେସ ନିନ୍ଦା କରୁଛି ବୋଲି ଭକ୍ତ ଦାସ କହିଛନ୍ତି।

ସେହିପରି ଭକ୍ତ ଦାସ ବିଜେପି ସରକାରଙ୍କୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରୁ ରାଲି ପାଇଁ ଆସୁଥିବା କଂଗ୍ରେସ କର୍ମୀଙ୍କ ଗାଡ଼ିକୁ ଅଟକାଇବା ପାଇଁ ପୋଲିସକୁ ‘ଗୁଣ୍ଡା’ ଭଳି ବ୍ୟବହାର କରାଯାଇଛି। ତଥାପି, ଆନ୍ଦୋଳନ ଅତ୍ୟନ୍ତ ସଫଳ ହୋଇଥିବା ସେ ଦାବି କରିଛନ୍ତି।

Comments are closed.