Latest Odisha News

BREAKING NEWS

ଶୁଣୁନାହାନ୍ତି ସରକାର, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ଶୁଣୁନାହାନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଖି, କାନ, ପାଟି ସବୁ ଖୋଲନ୍ତୁ । ନାରୀ ସୁରକ୍ଷା ନେଇ ପ୍ରତିଶ୍ରୁତି ଦିଅନ୍ତୁ । ଗୃହ କମିଟି କରାଯାଉ ବୋଲି ଦାବି କରି କିଛି ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଏମିତିକି ଆସନ୍ତା ୨୭ରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ତାରା ।

ଏନେଇ ତାରା କହିଛନ୍ତି, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ଆସନ୍ତା ୨୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିବ  । ଆମର ଦୁଇଟି ଦାବି ରହିଛି; ଗୃହ କମିଟି କରାଯାଉ ଏବଂ ମହିଳାମାନଙ୍କ ସୁରକ୍ଷା ପାଇଁ କଡା ଆଇନ ଆଣାଯାଉ । ରାଜ୍ୟରେ ଛାତ୍ରୀଟିଏ ଗର୍ଭବତୀ ହେଉଛି । ସ୍କୁଲରେ ପ୍ରସବ କରୁଛି । ୫ ବର୍ଷର ଶିଶୁକୁ ମାରିଦିଆଯାଉଛି । ଏଭଳି କ୍ଷେତ୍ରରେ ନାରୀ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡା ଆଇନ ଆଣନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ତେବେ କହିରଖୁଛୁ, ଚଳିତ ଅଧିବେଶନ ମୁଖ୍ୟ ବିରୋଧୀ ବିଜେଡି ଅପେକ୍ଷା, ସରକାରଙ୍କ ବିରୋଧରେ ଅଧିକ ସ୍ବର ଶାଣିତ କରିଛି କଂଗ୍ରେସ । ଗତ କିଛି ଦିନ ହେବ, ଯେବେଠୁ ଚଳିତ ବଜେଟ ଅଧିବେଶନ ଆରମ୍ଭ ହୋଇଛି, ସେବେଠୁ ହଙ୍ଗାମା କରିଚାଲିଛି । କେତେବେଳେ ମିନିଟ ଟିଏ ତ ଆଉ କେତେବେଳେ ଘଣ୍ଟାଏ ଗୃହ ଚାଲି, ହଟ୍ଟଗୋଳ ପରେ ମୁଲତବି ରହୁଛି । ଘଣ୍ଟା, ଘଣ୍ଟ, ମହୁରୀ, ବଂଶୀ ଇତ୍ୟାଦି ବାଦ୍ୟ ଯନ୍ତ୍ର ବଜାଇ ଗୃହ ଭିତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି କଂଗ୍ରେସ । ବାରମ୍ବାର ହଟ୍ଟଗୋଳ କାରଣରୁ ଗୃହ ମୁଲତବି ପରେ, ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ନିଇତି ଧାରଣା ଦେଉଛି କଂଗ୍ରେସ । ଯାହାକୁ ସରକାରୀ ଦଳ ଦୃଢ ନିନ୍ଦା କରିଥିବା ବେଳେ କଂଗ୍ରେସ ତାର ପ୍ରତିବାଦ ଜାରି ରଖିଛି ।

Comments are closed.