Latest Odisha News

BREAKING NEWS

ସେପ୍ଟେମ୍ବର ୫ରେ କଂଗ୍ରେସରେ ମିଶ୍ରଣ ପର୍ବ, ଯୋଗଦେବେ ନେତା ଓ ଅବସରପ୍ରାପ୍ତ ବାବୁ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଏକ ‘ମିଶ୍ରଣ ପର୍ବ’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମାଙ୍ଗ, ଜୟରାମ ପାଙ୍ଗୀ ଓ ପୂର୍ବତନ ଜାତୀୟ ହକି ଅଧିନାୟକ ପ୍ରବୋଧ ତିର୍କୀ ସାମିଲ ହେବାର ସୂଚନା ରହିଛି।

ଜାତୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ଯୋଗଦାନ ଉତ୍ସବ ଅନୁଷ୍ଠିତ ହେବ ଏବଂ ଏହି ଅବସରରେ ଏକ ରାଲି ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ ତଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିଭିନ୍ନ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ନିର୍ବାଚନ ଲଢିବା ବାବଦରେ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି।

ସେହିପରି କିଛି ଅବସରପ୍ରାପ୍ତ ଆଇଏଏସ, ଓଏଏସ ମଧ୍ୟ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବା ପରେ ସେ ଏହି ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଦଳରେ ସାମିଲ କରାଇ ଏକ ଶୃଙ୍ଖଳିତ ଦଳ ସହ ସୁନିୟୋଜିତ ରଣନୀତି ତିଆରି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।

ହାଇଦ୍ରାବାଦରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରେ ଯୋଗ ଦେବାର ଛଅ ମାସ ପରେ, ବରିଷ୍ଠ ଆଦିବାସୀ ନେତା ଗିରିଧର ଗମାଙ୍ଗ ତାଙ୍କ ପରିବାର ସଦସ୍ୟଙ୍କ ସହ ଚଳିତ ମାସ ଶେଷ ସୁଦ୍ଧା କଂଗ୍ରେସକୁ ଫେରିବାର ଥିଲା। ତାଙ୍କ ପୁଅ ଶିଶିର ନିକଟରେ ନୂଆଦିଲ୍ଲୀରେ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲାକୁମାରଙ୍କୁ ଭେଟିଥିଲେ।

ସେପ୍ଟେମ୍ବରରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଓଡ଼ିଶା ଗସ୍ତକୁ ସୁନିଶ୍ଚିତ କରି ଶରତ ପଟ୍ଟନାୟକ କହିଛନ୍ତି ଯେ, ଖୁବଶୀଘ୍ର ଏ ବାବଦରେ ତାରିଖ ସ୍ଥିର କରିବେ। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଗସ୍ତ କରିବାର ସମ୍ଭାବନା ରହିଛି।

Comments are closed.