ଭୁବନେଶ୍ୱର: ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଦଳାଚକଟା ପରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ତେବେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏଜି ସ୍କୋୟାରରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା। ପୁରୀ ଦଳାଚକଟାରେ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏସବୁ ଘଟଣା ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର (ଏସିପି) ନରସିଂହ ଭୋଳ ବ୍ୟାରିକେଡ୍ ଭାଙ୍ଗବାକୁ ଚେଷ୍ଟା କଲେ ‘ଗୋଡ ଭାଙ୍ଗିବା’ ପାଇଁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଉଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ଯାହାକି ସାଧାରଣ ଜନତାଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି।ତେବେ ଯେଉଁ କର୍ମଚାରୀ ଗୋଡ଼ ଭାଙ୍ଗିବେ ସେମାନଙ୍କୁ ପୁରସ୍କାର ଦେବାକୁ ମଧ୍ୟ କହୁଥିବା ନଜର ଆସିଛନ୍ତି।
ଏହି ଭିଡିଓକୁ ନେଇ ଏସିପି ଭୋଳ କହିଛନ୍ତି ଯେ ତାଙ୍କ କଥା କୁ ଭୁଲ୍ ଭାବରେ ଦର୍ଶାଯାଇଛି ଓ ପ୍ରଦର୍ଶନକାରୀଙ୍କୁ ଗିରଫ କରିବାକୁ ଆସିଥିବା ସେ କହିଥିଲେ।
ଏହି ସମୟରେ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ସନ୍ତୋଷ ସିଂହ ସାଲୁଜା ଏବଂ ନଗେନ୍ଦ୍ର ପ୍ରଧାନଙ୍କ ସମେତ ଏକ କଂଗ୍ରେସ ପ୍ରତିନିଧିମଣ୍ଡଳୀ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ସେମାନେ ପିଡୀତଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଷୟରେ ପଚରା ଉଚୁରା କରିଥିଲେ। ତେବେ ଏହି ଦଳାଚକଟାରେ ଦୁଇଜଣଙ୍କ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସେମାନଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ମଧ୍ୟ ଦଳୀୟ ବିଜ୍ଞପ୍ତିରେ କୁହାଯାଇଛି।
ଅପରପକ୍ଷରେ ଏହି ଦଳାଚକଟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ଉନ୍ନୟନ କମିଶନରଙ୍କ ଅଧୀନରେ ଏକ ପ୍ରଶାସନିକ ତଦନ୍ତ ଏବଂ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ମଧ୍ୟ ଘୋଷଣା କରିଛନ୍ତି।
Comments are closed.