Latest Odisha News

BREAKING NEWS

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ ହୋଇଛି ।

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ବି ଏଯାଏ ସସପେନ୍ସ ଉପରୁ ପରଦା ହଟିନି । ସୌମ୍ୟଙ୍କ ଦେହରେ ନିଆଁ ଲାଗି ସେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଥିଲେ ବି ଏଯାଏ ଜଣାପଡିନି କେମିତି ଦେହରେ ନିଆଁ ଲାଗିଲା ।

ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିଲା ଗଜପତି ପୋଲିସ । ମାସେ ଧରି ଖୋଳତାଡ ପରେ ପୋଲିସର ହାତ ଖାଲି । ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ପରିବାର ଲୋକ ।

ଚାରି ଚାରିଟି ଜିଲ୍ଲାରେ ପୋଲିସ ତଦନ୍ତ କଲା । ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଯୋଗଡ଼କଲା । ରେକର୍ଡ କଲା ବୟାନ । ତଥାପି ଜାଣି ପାରିଲା ନାହିଁ କେମିତି ଓ କେଉଁ ପରିସ୍ଥିତିରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ? ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ରହିଥିଲା ପୋଲିସ ତଦନ୍ତ ।

ଏହି ଘଟଣାରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ସୌମ୍ୟଙ୍କ ବାପା ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ନେଇ ଏତଲା ଦେଇଥିଲେ ।

ପୋଲିସ ତଦନ୍ତରେ ଶିଥିଳତା ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଥିଲେ ସୌମ୍ୟଙ୍କ ପରିବାର ଲୋକ । ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏବେ ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ।

ପୂର୍ବରୁ ଗଜପତି ପୋଲିସକୁ ତଦନ୍ତରେ ସହାୟତା କରୁଥିଲା କ୍ରାଇମବ୍ରାଞ୍ଚ । ଆଗକୁ ବିଦ୍ୟାଭାରତୀ, ସୌମ୍ୟଙ୍କ ପରିବାର ଓ ମାମଲାରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିପାରେ । ପୋଲିସ ପାଖରୁ ତଥ୍ୟ ପ୍ରମାଣ ନେଇ ତଦନ୍ତ କରିବ । ଏବେ ଅପେକ୍ଷା କ୍ରାଇମବ୍ରାଞ୍ଚ ସତ ବାହାର କରି ପାରୁଛି କି ନାହିଁ ତାଉପରେ ନଜର ।

Leave A Reply

Your email address will not be published.